ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ମଙ୍ଗଳବାର ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । ବିଜେପି ସଂସଦୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସଂସଦୀୟ ବୋର୍ଡର ଅନ୍ୟ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ।

ବିଜେପି ଚଳିତ ଥର ରାଷ୍ଟ୍ରପତି ପଦ ପାଇଁ ଜଣେ ଆଦିବାସୀଙ୍କୁ ଚୟନ କରିଛି । ଓଡିଶାର ମୟୂରଭଞ୍ଜର ବୈଦପୋଷୀ ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ । ଏହାସହ ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ । ଓଡିଶାର ବିଜେପି-ବିଜେଡି ସରକାର ମେଣ୍ଟ ସରକାରରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାସହ ପରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ୨୦୦୦ରୁ ୨୦୦୯ ଯାଏଁ ମୟୂରଭଞ୍ଜର ରାଇରଙ୍ଗପୁରରୁ ବିଜେପି ଟିକେଟରେ ଜିତି ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ। ଏହାସହ ପ୍ରତିଭା ଦେବୀ ସିଂ ପାଟିଲଙ୍କ ପରେ ଦ୍ରୌପଦୀ ମୁର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇପାରନ୍ତି । ସୂଚନା ଅନୁସାରେ ବିଜେଡି ମଧ୍ୟ ଦ୍ରୋପଦୀ ମୁର୍ମୀଙ୍କ ନାଁରେ ସହମତି ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଯଦି ଏକରୁ ଅଧିକ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରନ୍ତି ତେବେ ଜୁଲାଇ ୧୮ରେ ମତଦାନ ହେବ ଏବଂ ଜୁଲାଇ ୨୧ରେ ମତଗଣନା ହେବ।

Spread the love