ପାଖେଇ ଆସୁଛି ମୌସୁମୀ ଅଧିବେଶନ

 

ମୌସୁମୀ ଅଧିବେଶନ ବିଶେଷ ଗୁରୁତ୍ବ ବହନ କରୁଥିବାରୁ ଏଥର ଅନେକ ପ୍ରସଙ୍ଗ ଉଠିପାରେ। ବିଧାନସଭାରେ ବିରୋଧୀ ତଥା ଅନ୍ୟ ବିଧାୟକ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଶାଣିତ ଆକ୍ରମଣ କରିବାର ସମ୍ଭାବନା ରହିଛି। ନୂଆ ମନ୍ତ୍ରୀଙ୍କ ଭିତରୁ ଯୋଜନା ଓ ସଂଯୋଜନା ବିଭାଗ ଦାୟିତ୍ବରେ ଥିବା ରାଜେନ୍ଦ୍ର ଢୋଲକିଆ ଏକାଧିକବାର ବିଧାୟକ ଭାବେ ଜିତିଥିବାରୁ ଗୃହର ଆଦବ କାଏଦା ସମ୍ପର୍କରେ ଅବଗତ। କିନ୍ତୁ ପ୍ରଥମ ପାଳିରେ ସେ କ୍ୟାବିନେଟ ପାହ୍ୟା ପାଇଥିବାରୁ ଦାୟିତ୍ବ ତୁଲାଇବାରେ ତାଙ୍କର ସାମର୍ଥ୍ୟ କେତେ ତାହା ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅବକାରୀ ଦାୟିତ୍ବରେ ଥିବା ଅଶ୍ବିନୀ ପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବ ନେଇଥିବା ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ମଧ୍ୟରୁ ଅଶ୍ବିନୀ, ପ୍ରୀତିରଞ୍ଜନ ଓ ଶ୍ରୀକାନ୍ତଙ୍କର ବିଧାୟକ ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। କିନ୍ତୁ ସେମାନେ ଯେଉଁସବୁ ବିଭାଗ ପାଇଛନ୍ତି ସେଥିରେ ପାରଦର୍ଶିତା ହାସଲ କରିବା ଉପରେ ସେମାନଙ୍କ ଭବିଷ୍ୟତ ନିର୍ଭର କରୁଛି। ବିରୋଧୀଙ୍କ ପ୍ରଶ୍ନର ଠିକଣା ଉତ୍ତର ଦେବା ସେମାନଙ୍କ ପାଇଁ ବଡ଼ ଆହ୍ବାନ। ତେବେ ପ୍ରଥମ ଥର ବିଧାୟକ ଓ ପ୍ରଥମ ପାଳିରେ ମନ୍ତ୍ରିପଦ ପାଇଥିବା ରିତା ଓ ବାସନ୍ତୀଙ୍କ ପାଇଁ ଆଗାମୀ ବିଧାନସଭା ଅଧିବେଶନ ସବୁଠୁ ଗୁରୁତ୍ବପୂର୍ଣ୍ଣ। ସେମାନେ ପ୍ରଶ୍ନକାଳଠୁ ଆରମ୍ଭ କରି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଏବଂ ମୁଲତବି ପ୍ରସ୍ତାବ ଉପରେ ରାଜ୍ୟର ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାର କିଭଳି ଉତ୍ତର ଦେଉଛନ୍ତି ତାହା ଦେଖିବାର କଥା। କାରଣ ଅତୀତରେ ପଦ୍ମିନୀ ଦିଆନଙ୍କଠାରୁ ଆରମ୍ଭ କରି ପ୍ରେମାନନ୍ଦ ନାୟକ ଓ ଅନ୍ୟ କେତେଜଣ ପ୍ରଥମ ପାଳିରେ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ହେଁ ସେମାନେ ବିଭାଗ ଉପରେ ବିଶେଷ ଦବ୍‌ଦବା ରଖିବା ଏବଂ ବିଧାନସଭାରେ ପ୍ରଶ୍ନର ଠିକଣା ଜବାବ ରଖିବା ଦିଗରେ ସେତେଟା ସଫଳ ହୋଇ ନଥିଲେ କିମ୍ବା ସେମାନଙ୍କ ରିପୋର୍ଟ କାର୍ଡରେ ମୁଖିଆ ସନ୍ତୁଷ୍ଟ ନଥିଲେ।
ପୁନର୍ଗଠିତ ମନ୍ତ୍ରିପରିଷଦରେ ଦୀର୍ଘ ବର୍ଷ ପରେ ପୁଣି ମନ୍ତ୍ରିପଦକୁ ଫେରିଥିବା ପ୍ରଦୀପ କୁମାର ଅମାତଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ଦିଆଯାଇଥିବାବେଳେ ପ୍ରମିଳା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ ସହ ଏମଏସଏମ୍‌ଇ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ଭଳି ଓଜନିଆ ବିଭାଗ ମିଳିଥିବାରୁ ସେମାନଙ୍କ ପାଇଁ ଆଗାମୀ ଅଧିବେଶନ ବିଶେଷ ଗୁରୁତ୍ବ ରଖୁଛି। ଗତ କିଛିଦିନ ଭିତରେ ରାଜଧାନୀରୁ ଆରମ୍ଭ କରି ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଗଛକଟା ଓ ଜଙ୍ଗଲ ଧ୍ବଂସ, ବିଭିନ୍ନ ଅଞ୍ଚଳରେ ଘନ ଘନ ହାତୀ ମୃତ୍ୟୁ ଘଟଣା ତଥା ସରକାରୀ ପଦ ପଦବୀରେ ଥିବା ଅଧିକାରୀ ଦୁର୍ନୀତିରେ ବୁଡ଼ି ରହି ଭିଜିଲାନ୍ସ ହାତରେ ଧରାପଡ଼ିବା ଭଳି ପ୍ରସଙ୍ଗ ବିଧାନସଭାରେ ଉଠିବାର ସମ୍ଭାବନା ଥିବାରୁ ଏସବୁକୁ ନୂଆ ମନ୍ତ୍ରୀ ମୁକାବିଲା କରିବେ। ଅନୁରୂପ ଭାବେ ମନ୍ତ୍ରିପଦ ବଜାୟ ରଖିବା ପରେ ନୂଆ ବିଭାଗ ଦାୟିତ୍ବରେ ଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ ଏବଂ ତୁଷାରକାନ୍ତି ବେହେରାଙ୍କର ମଧ୍ୟ ଗୁରୁଦାୟିତ୍ବ ବଢ଼ିଛି।
ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ କୋଭିଡରେ ଆକ୍ରାନ୍ତ ହେବା ପରେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ବସ୍ତୁତଃ ପ୍ରମୁଖ ବିରୋଧୀ ଦଳ ବିଜେପିର ନେତୃତ୍ବ ଆଗାମୀ ଅଧିବେଶନରେ କାହା ଉପରେ ନ୍ୟସ୍ତ କରାଯିବ ସେଥିନେଇ ଦଳ ଭିତରେ ବିଚାର ବିମର୍ଶ ଚାଲିଛି। ଗତ ଅଧିବେଶନଗୁଡ଼ିକରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ବିଜେପି କାମ ଚଳାଇ ନେଉଥିଲେ ହେଁ ତାହା ଆଗାମୀ ଦିନରେ ସେତେଟା ଫଳପ୍ରଦ ହେବନାହିଁ। କାରଣ ବିରୋଧୀ ଦଳ ନେତା ପବ୍ଲିକ ଆକାଉଣ୍ଟ କମିଟିର ଅଧ୍ୟକ୍ଷ ଥିବାବେଳେ ତାଙ୍କ ଅନୁପସ୍ଥିତିରୁ ଏହି କମିଟି ବସ୍ତୁତଃ ଅଚଳ ହୋଇପଡ଼ିଛି। ବର୍ଷାଧିକ କାଳ ଏହି କମିଟିର ବୈଠକ ବସିନାହିଁ। ସେ ପ୍ରସଙ୍ଗ ଗୃହରେ ଉଠିପାରେ। ଅନ୍ୟପକ୍ଷରେ ଗୃହରେ କଂଗ୍ରେସ ସଭ୍ୟ ସଂଖ୍ୟା ୯ରେ ସୀମିତ ଥିଲେ ହେଁ ପ୍ରମୁଖ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିର ଫାଇଦା ଉଠାଇବାକୁ ଦଳ ହାତଛଡ଼ା କରୁନାହିଁ। କଂଗ୍ରେସର କିଛି ବରିଷ୍ଠ ଓ ଅନୁଭବୀ ସଭ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରୁଛନ୍ତି। ନିକଟରେ ପିସିସି ସଭାପତି ନିଯୁକ୍ତି ପୂର୍ବରୁ ଦଳର କିଛି ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଗଣମାଧ୍ୟମରେ ବକ୍ତବ୍ୟ ରଖିଥିବାବେଳେ ଏଥିନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଦଳର ହାଇକମାଣ୍ଡ ଏହି ପଦ ଦାୟିତ୍ବରେ ଥିବା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ଏହାକୁ ଅପରିବର୍ତ୍ତିତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଅଧିବେଶନ କାଳରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ଭିତରୁ ଅଧିକାଂଶ ନୂଆ ଦାୟିତ୍ବରେ ଥିବାରୁ ସେମାନେ ଜଟିଳ ପରିସ୍ଥିତିର ସାମ୍ନା କରିପାରନ୍ତି। ତେଣୁ କାହାର ଦବ୍‌ଦବା କେତେ ରହିବ ତାହା ଅଧିବେଶନ କାଳରେ ହିଁ ସ୍ପଷ୍ଟ ଜଣାପଡ଼ିବ।

 

Spread the love