ଶିବଙ୍କ ଗେହ୍ଲା ଝିଅଙ୍କ ବିଷୟରେ : ଯାହାଙ୍କ ଆଦେଶ ମାନିଥାଆନ୍ତି ସାପ

ସାଧାରଣତଃ ଭଗବାନ ଶିବଙ୍କ ସନ୍ତାନଭାବେ ଆମେ ଗଣେଶ ଏବଂ କାର୍ତ୍ତିକେୟଙ୍କୁ ଜାଣିଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି କି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଏକ ଗେହ୍ଲୀ ଝିଅ ମଧ୍ୟ ଅଛନ୍ତି।ସେମାନଙ୍କ ଝିଅଙ୍କ ନାଁ ମନସା ଦେବୀ । ଭାରତର ଅନେକ ସ୍ଥାନରେ ତାଙ୍କର ପ୍ରସିଦ୍ଧ ମନ୍ଦିର ରହିଛି। ମନସ୍କାମନା ପୂରଣ ପାଇଁ ତାଙ୍କର ପୂଜା କରାଯାଏ। କୁହାଯାଏ ଯେ ମନସା ଦେବୀ ଖୁସି ହେଲେ ଭକ୍ତଙ୍କ ସମସ୍ତ ଇଚ୍ଛା ଏବଂ ଆବଶ୍ୟକତା ପୂରଣ କରିଥାଆନ୍ତି କାରଣ ସେ ଭକ୍ତଙ୍କ ମନରେ ବାସ କରିଥାଆନ୍ତି।ପୁରାଣ ଅନୁସାରେ ଭଗବାନ ଶିବ ଏବଂ ପାର୍ବତୀ ମାନସରୋବରରେ ଜଳକ୍ରୀଡ଼ା କରୁଥିଲେ। ସେତେବେଳେ ଉଭୟଙ୍କର ତେଜ ଏକତ୍ରିତ ହୋଇ ପଦ୍ମ ଫୁଲରେ ଜମା ହୋଇ ଯାଇଥିଲା। ଏହାକୁ ସଂରକ୍ଷିତ କରିବା ପାଇଁ ସେଠାରେ ଥିବା ୫ଟି ସାପ ଏହି ତେଜକୁ ନିଜ ଜାତକରେ ଆବୃତ କରି ରଖିଥିଲେ। ଠିକ୍ ସମୟ ହେବା ପରେ ଶିବ ଏବଂ ପାର୍ବତୀଙ୍କର ଏହି ତେଜ ଏକ କନ୍ୟା ରୂପରେ ପରିବର୍ତ୍ତିତ ହୋଇଥିଲା ଯାହାଙ୍କୁ ମନସା ଦେବୀ ଭାବେ ଜଣାଯାଏ।

ଏହା ମଧ୍ୟ କୁହାଯାଏ ଯେ ଥରେ ଭଗବାନ ଶିବ ଯୋଗୀଙ୍କ ରୂପ ଧାରଣ କରି ବୁଲୁଥିଲେ। ତାଙ୍କ ସୁନ୍ଦର ରୂପ ଦେଖି ଲୁଗା ଧୋଉଥିବା ଜଣେ ଗାଉଁଲି ମହିଳା ତାଙ୍କ ପ୍ରତି ଆକର୍ଷିତ ହୋଇ ଯାଇଥିଲେ ଏବଂ ତାଙ୍କୁ ବଶୀଭୂତ କରିବା ପାଇଁ ଭଗବାନ ଶିବଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଶାବର ବଶୀକରଣ ମନ୍ତ୍ର ପ୍ରୟୋଗ କରିଥିଲେ। ନିଜେ କରିଥିବା ମନ୍ତ୍ରର ମର୍ଯ୍ୟାଦା ରଖିବା ପାଇଁ ଶିବ ସେହି ମହିଳାଙ୍କ ଜାଲରେ ଫସି ଯାଇଥିଲେ। ଉଭୟଙ୍କ ସମ୍ବନ୍ଧରେ ଏକ ପୁତ୍ରୀ ଜନ୍ମଗ୍ରହଣ କରିଥିଲେ। ସେ ମନସା ଦେବୀ ନାଁରେ ପ୍ରସିଦ୍ଧ ହେଲେ। ଏହି କଥା ଅନୁସାରେ ମନସା ମାତାଙ୍କର ଅଧା ଅଂଶ ଦେବୀଙ୍କର ହୋଇଥିବାବେଳେ ଅଧା ଅଂଶ ମନୁଷ୍ୟଙ୍କର।

ପରେ ମନସା ଦେବୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଖକୁ କୈଳାସ ପହଞ୍ଚିଥିଲେ। ମହାଦେବଙ୍କ ବେକରେ ଝୁଲିଥିବା ନାଗରାଜ ବାସୁକୀ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ ଯେ ମନସା ଦେବୀଙ୍କୁ ନାଗଲୋକ ପଠାଇ ଦିଆଯାଉ। କାରଣ ବିଶ୍ବର ପ୍ରମୁଖ ଅଷ୍ଟନାଗ(ଅନନ୍ତ,ବାସୁକୀ,ପଦ୍ୟ,ମହାପଦ୍ୟ,ତକ୍ଷକ,କୁଲୀର,କର୍କୋଟକ ଏବଂ ଶଙ୍ଖ)ଙ୍କର କେହି ଭଉଣୀ ନାହାନ୍ତି।ଭଗବାନ ଶିବ ,ବାସୁକୀଙ୍କ କଥା ଶୁଣି ତାଙ୍କୁ ନାଗଲୋକର ସାମ୍ରାଜ୍ୟ ପ୍ରଦାନ କରିଥିଲେ । ଏହିପରିଭାବେ ମନସା ଦେବୀ ସମ୍ପୂର୍ଣ୍ଣ ନାଗଜାତିର ଭଉଣୀ ଏବଂ ପୁତ୍ରୀ ବୋଲି ଗଣାଗଲେ । କୌଣସି ସର୍ପ ତାଙ୍କ ଆଦେଶକୁ ଅବଜ୍ଞା କରି ପାରନ୍ତି ନାହିଁ।

ନାଗ ଜାତି ଉପରେ ମନସା ଦେବୀଙ୍କ ଏକ ବଡ଼ କୃତଜ୍ଞତା ରହିଛି । କାରଣ ଭଗବାନ କୃଷ୍ଣଙ୍କ ଭଣଜା ପରିକ୍ଷୀତଙ୍କୁ ତକ୍ଷକ ନାଗ ଦଂଶନ କରିଥିବାରୁ ତାଙ୍କ ପୁଅ ଜନ୍ମେଜୟ ସର୍ପ ଯଜ୍ଞ କରିଥିଲେ। ଯାହା ଫଳରେ ପୃଥିବୀ ପୃଷ୍ଠରୁ ସର୍ପ ଜାତି ବିଲୁପ୍ତ ହେବାକୁ ଲାଗିଥିଲା। ଏହି ଯଜ୍ଞକଚ ମନସା ଦେବୀଙ୍କ ପୁଅ ଆସ୍ତିକ ବନ୍ଦ କରାଇଥିଲେ । ଯାହା ଫଳରେ ପୃଥିବୀ ପୃଷ୍ଠରେ  ସର୍ପଙ୍କ ଅସ୍ତିତ୍ବ ପୁଣି ଥରେ ଦେଖିବାକୁ ମିଳିଥିଲା।

ମନସା ଦେବୀଙ୍କ ଆସନ ପାଖରେ ହଂସ ରହିଥାଏ। ତାଙ୍କ ମୁକୁଟ ଏବଂ ଅଙ୍ଗରକ୍ଷକ ଭାବେ ବିଶିଷ୍ଟ ସର୍ପ ତାଙ୍କୁ ଘେରି ରହିଥାଆନ୍ତି। ତାଙ୍କ ଦୁଇ ହାତରେ ଅମୃତ ଭରି ରହିଥିବା ଧଳା ଏବଂ ବିଷ ଭରା ନାଲି ପଦ୍ମ ରହିଥାଏ। ଯାହା ଜରିଆରେ ସେ ଲୋକଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ତାଙ୍କ ୭ଟି ନାମ ଜପ କରିବା ଦ୍ବାରା ସର୍ପର ଭୟ ରହିନଥାଏ। ଏହି ନାଁ ଗୁଡ଼ିକ ହେଉଛ ଜରତ୍କାରୁ,ଜଗତଗୌରୀ,ମନସା,ସିୟୋଗିନୀ,ବୈଷ୍ଣବୀ,ନାଗଭୋଗିନୀ,ଶୈବୀ,ନାଗେଶ୍ବରୀ,ଜରତ୍କାରୁପ୍ରିୟା,ଆସ୍ତିକମାତା ଏବଂ ବିଷହରୀ। ହରିଦ୍ବାର ଏବଂ ଚଣ୍ଡିଗଡ଼ରେ ମନସା ଦେବୀଙ୍କ ବିଶ୍ବ ପ୍ରସିଦ୍ଧ ମନ୍ଦିର ରହିଛି। ମନସା ଦେବୀଙ୍କ ଉତ୍ପତ୍ତି ପୂର୍ବରୁ ପୃଥିବୀ ପୃଷ୍ଠରେ ସର୍ପଙ୍କୁ ପୂଜା କରାଯାଉନଥିଲା କିନ୍ତୁ ମନସା ତାଙ୍କ ବାପା ଶିବଙ୍କୁ ଜିଦି କରି ମନୁଷ୍ୟଙ୍କ ଦ୍ବାରା ସର୍ପ ପୂଜା ଆରମ୍ଭ କରିଥିଲେ। ଯାହା ପରଠୁ ଭାରତର ଅଲଗା ଅଲଗା ସ୍ଥାନରେ ସର୍ପ ମନ୍ଦିର ନିର୍ମାଣ କରାଯାଇଥିଲା। ପଶ୍ଚିମବଙ୍ଗରେ ମଧ୍ୟ ମନସା ଦେବୀଙ୍କ ପୂଜା ପରମ୍ପରା ପ୍ରଚଳିତ ରହିଛି।

Spread the love