ଭୁବନେଶ୍ୱର : ଭାରତୀୟ ସଂସ୍କୃତି ସାରା ବିଶ୍ବକୁ ଦିଗ୍ଦର୍ଶନ ଦେଉଛି।ତେଣୁ ଉଚ୍ଚାଙ୍ଗ ସାହିତ୍ୟ, ସମୃଦ୍ଧ ସଂସ୍କୃତି ଓ ଭାଷା ଆମ ଜାତିକୁ ଗୌରବାନ୍ବିତ କରିଛି। ଭାରତୀୟ ସଂସ୍କୃତି ସାରା ବିଶ୍ବକୁ ଦିଗ୍ଦର୍ଶନ ଦେଉଛି। ତା’ର ମୃତ୍ୟୁ ନାହିଁ ବୋଲି ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି।ଜୟଦେବ ଭବନରେ ସାହିତ୍ୟ ସଂସ୍କୃତି ସମାରୋହ ଅନୁଷ୍ଠାନର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଗତକାଲି ଆୟୋଜିତ ଜାତୀୟ ସାହିତ୍ୟ ମହୋତ୍ସବର ଉଦ୍ଯାପନୀ ପର୍ବରେ ଉଦ୍ଘାଟକ ଭାବେ ଯୋଗ ଦେଇ ଶ୍ରୀ ରଥ କହିଥିଲେ ଯେ ଭାରତ ବର୍ଷର ସାହିତ୍ୟ ଓ ସାଧକମାନେ ଅତିବ ପ୍ରତିଭାସମ୍ପନ୍ନ। ସାହିତ୍ୟିକ ଜଣେ ଦାର୍ଶନିକ। ସେ ବିଭିନ୍ନ ଉଦାହରଣ ଦେଇ ଭାଗବତ, ଦାଣ୍ଡି ରାମାୟଣ ତଥା କବିବର ରାଧାନାଥ ରାୟଙ୍କଠାରୁ ଆରମ୍ଭ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲେଖାରେ କିପରି ଭାବ ରହିଛି ସେସବୁର ଅବତାରଣା କରିବା ସହ ଅନୁବାଦ ଏକ ବଡ଼ ସେତୁ ଯାହା ଗୋଟିଏ ଜାତି ଓ ଭାଷାକୁ ବଡ଼ କରିଥାଏ ବୋଲି ମତପୋଷଣ କରିଥିଲେ।ମୁଖ୍ୟ ଅତିଥି ପୂର୍ବତନ ସାଂସଦ, କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଥିଲେ ଓଡ଼ିଶା କଳା, ସଂସ୍କୃତିର ମାଟି। ଏହା ସର୍ବଦା ରହିଛି ଓ ରହିବ। ମୁଖ୍ୟ ବକ୍ତା ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ ସାହିତ୍ୟ କୌଣସି ବାଛ ବିଚାର ରଖେ ନାହିଁ। ସମସ୍ତଙ୍କୁ ଏକ କରିଥାଏ। ଅନ୍ୟତମ ବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ସାହିତ୍ୟ ସର୍ବଦା ସତ କହେ ବୋଲି ମତ ରଖିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଡ. ଫନି ମହାନ୍ତି ଦିବସ ବ୍ୟାପି କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସଭାପତି ଡା. ଅନିତା ପଣ୍ଡା ବକ୍ତବ୍ୟ ରଖିଥିବାବେଳେ ଡ. ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜନା କରିଥିଲେ। ସମ୍ପାଦକ ପ୍ରଣବ ଛୋଟରାୟ ବିବରଣୀ ପାଠ କରି ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀରେ ଏକ ବୃହତ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ଓ ଏକ ଉପନ୍ୟାସ ଉନ୍ମୋଚନ କରାଯାଇଥିଲା।ପୂର୍ବାହ୍ନରେ ଆୟୋଜିତ ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଅତିଥିଭାବେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଭାରତୀୟ କବିତାରେ ସାମାଜିକ ପ୍ରତିବଦ୍ଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡ. ଭଗବାନ ଜୟସିଂହ ଉଦ୍ଘାଟକଭାବେ ଯୋଗ ଦେଇଥିବାବେଳେ ଡ. ଶଶାଙ୍କ ଶେଖର ଚୁଡ଼ାମଣି ଆଲୋଚନାରେ ଅଂଶ୍ରଗ୍ରହଣ କରିଥିଲେ। ‘କଥା ଆଜି ଓ କାଲିର’ ଆଲୋଚନାଚକ୍ରକୁ ଗାଳ୍ପିକ ରବି ପଣ୍ଡା ଉଦ୍ଘାଟନ କରିଥିଲେ। ଅନିଲ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଆଲୋଚକ ଭାବେ ପ୍ରଦୀପ ବିହାରୀ, ପାରମିତା ଷଡ଼ଙ୍ଗୀ ଅଂଶଗ୍ରହଣ କରିଥିଲେ। ଅପରାହ୍ଣ ଅଧିବେଶନରେ ‘ମୋ ଶ୍ରେଷ୍ଠ କୃତି କବିତା ଅଞ୍ଜଳି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ବହୁଭାଷୀ କବି ସମ୍ମିଳନୀ ଓ କବିତା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲିିକାତା, ମୁମ୍ବଇ, ଦିଲ୍ଲୀ ପ୍ରଭୃତି ବିଭିନ୍ନ ପ୍ରାନ୍ତରୁ ୮୫ଜଣ ବିଭିନ୍ନ ଭାଷାର କବି ଅଂଶଗ୍ରହଣ କରିଥିଲେ।