କଳା କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ: ନବୀନ

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଜି ଆତ୍ମହତ୍ୟା କରିଛନ୍ତି। ଏହି ଖବର ଓଲିଉଡ଼୍‌ ଶିଳ୍ପ ସମେତ ତାଙ୍କ ପ୍ରଶଂସକ ତଥା ସମଗ୍ର ରାଜ୍ୟବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ଏହି ପ୍ରସିଦ୍ଧ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ।ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ସେ ଲେଖିଛନ୍ତି, ‘‘ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।’’ସୂଚନାଯୋଗ୍ୟ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା କୌଣସି ଏକ କାରଣକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ତାଙ୍କ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପାରିବାରିକ ଅସନ୍ତୋଷ କାରଣରୁ ରାଇମୋହନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇବାପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ରାଇମୋହନଙ୍କ ମୃତ୍ୟୁ ନେଇ ପଚରାଉଚରା କରୁଛି ପୁଲିସ।

Spread the love