ଓଡ଼ିଆ ଝିଅ ରାଷ୍ଟ୍ରପତି ହେବାକୁ କଂଗ୍ରେସ ସହ୍ୟ କରୁନାହିଁ : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୪/୦୬: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳବାସିନ୍ଦା ଦୀର୍ଘ ଦିନ ଧରି କଂଗ୍ରେସ ଦଳକୁ ଶାସନ କ୍ଷମତାରେ ବସାଇଥିଲେ । ଆଜି ଯେତେବେଳେ ଜଣେ ଓଡିଆ ଆଦିବାସୀ ଝିଅ ଦେଶ ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି, ସେତେବେଳେ ସେହି ଓଡ଼ିଶା କଂଗ୍ରେସ ଦଳ ତାଙ୍କୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଓଡ଼ିଶା କଂଗ୍ରେସ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ନକରିବାର ଘୋଷଣା କରାଯାଇଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କଂଗ୍ରେସ ଦଳକୁ ମନେ ପକାଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଗତ ୧୯୯୭ ମସିହାରେ ରାଷ୍ଟ୍ରପତି ପଦ ପାଇଁ ଦଳିତ ବର୍ଗର କେ.ଆର.ନାରାୟଣନଙ୍କୁ ଖୋଲାଖୋଲି ସମର୍ଥନ କରିଥିଲା । ସେହିପରି ଯେତେବେଳେ ଭି.ଭି.ଗିରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ, ସେତେବେଳେ ନିଜ ବିବେକ ଅନୁସାରେ ଭୋଟ ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ ଆହ୍ୱାନ କରିଥିଲେ । ଓଡ଼ିଶାର କଂଗ୍ରେସ ବନ୍ଧୁମାନେ ଓଡ଼ିଶାର ଗର୍ବ, ଗୌରବ ଏବଂ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ କ’ଣ କ୍ଷତି ହୋଇଥାନ୍ତା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କଂଗ୍ରେସକୁ ପ୍ରଶ୍ନ ମଧ୍ୟ କରିଛନ୍ତି ।
ଦେଶ ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ) ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଓଡ଼ିଶାର ଝିଅ ଶ୍ରୀମତି ଦୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଛି । ଅମୃତ ମହୋତ୍ସବ ସମୟରେ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ସୁଯୋଗ ଉପହାର ସ୍ୱରୁପ ଓଡ଼ିଶାକୁ ମିଳିଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି ହେବାର ସୁଯୋଗ ମିଳିଛି ଏବଂ ଏହା ଆମ ସମସ୍ତଙ୍କୁ ଖୁସି ପ୍ରଦାନ କରିଥିବାବେଳେ ଓଡ଼ିଶା କଂଗ୍ରେସର ଗଳାରେ କଂଟା ହୋଇ ଅଟକିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କଂଗ୍ରେସ ଦୀର୍ଘବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରିଥିବା ଅନେକ ଉଦାହରଣ ରହିଛି । ବିପତି ସମୟରେ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ପାଇଁ ଯାଇଥିବା ବିଧାନସଭାର ସର୍ବଦଳୀୟ ପ୍ରତିନିଧି ଦଳକୁ “ଟଙ୍କା କଣ ଗଛରେ ଫଳେ” ବୋଲି କହି ଫେରାଇ ଦେଇଥିଲେ । ସାଢ଼େ ୪କୋଟି ଓଡ଼ିଆଙ୍କୁ ସବୁବେଳେ ଅଣଦେଖା, ଅବହେଳା ଓ ଉପେକ୍ଷିତ କରିଛି କଂଗ୍ରେସ । ଆଜି ଓଡ଼ିଆ ଝିଅ ଶ୍ରୀମତି ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଓଡ଼ିଶାର ଲୋକେ ଗର୍ବ ଅନୁଭବ କଲାବେଳେ କଂଗ୍ରେସର ବନ୍ଧୁମାନେ ଦୁଃଖିତ ଅଛନ୍ତି । ଯଦି କଂଗ୍ରେସର ଓଡ଼ିଶାଙ୍କ ଜନସାଧାରଣ ପ୍ରତି ଭଲପାଇବା ଅଛି ତାହାଲେ ତାଙ୍କ ନେତୃବୃନ୍ଦ ବିଚାରଧାରର ଊର୍ଦ୍ଧ୍ୱକୁ ଯାଇ ଏବଂ ଓଡ଼ିଶାର ସ୍ୱାର୍ଥ ଓ ଅସ୍ମିତାକୁ ଆଖିଆଗରେ ରଖି ନିଜର ନେତୃବୃନ୍ଦଙ୍କୁ ପ୍ରଭାବିତ କରି ଓଡ଼ିଶାର ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରନ୍ତୁ । ନଚେତ ଦ୍ରୈାପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ଭୂମିକା ନେଇ ଭବିଷ୍ୟତରେ ଓଡିଶାବାସୀ ବିଚାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠି ଏବଂ ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love