ମେଟଫର୍ମିନର ପାର୍ଶ୍ୱ ପ୍ରତିକ୍ରିୟା

ଲଣ୍ଡନ  : ଡାଇବେଇଟିସ୍‌ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବି-୧୨ ସ୍ତରକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ। ବ୍ରିଟେନର ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଚେତାବନୀର ଭାରତୀୟ ପ୍ରସଙ୍ଗରେ ମଧ୍ୟ ପ୍ରାସଙ୍ଗିକତା ରହିଛି ।

ଯେହେତୁ ଭାରତ ପୃଥିବୀର ଡାଇବେଟିସ୍‌ ରାଜଧାନୀ ଭାବରେ ବେଶ୍‌ ଜଣାଶୁଣା। ପୃଥିବୀରେ ଥିବା ଡାଇବେଟିସ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଭାରତରେ ୧୭ ପ୍ରତିଶତ ରହିଛନ୍ତି। ୨୦୨୧ରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ୮ କୋଟି ଲୋକ ଡାଇବେଟିସ୍‌ ସମସ୍ୟା ଭୋଗୁଛନ୍ତି। ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୩.୫ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମେଟଫର୍ମିନ ଭାରତ ସମେତ ପୃଥିବୀରେ ବ୍ୟବହୃତ ହେଉଥିବା ସାଧାରଣ ଆଣ୍ଟି-ଡାଇବେଟିସ ଔଷଧ ମଧ୍ୟରୁ ଗୋଟିଏ। କାରଣ ଏହା ଟାଇପ-୨ ଡାଇବେଟିସ୍‌ ସମସ୍ୟା କ୍ଷେତ୍ରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବ୍ରିଟେନର ଏକ ଆଡଭାଇଜରୀ ଅନୁଯାୟୀ ମେଟଫର୍ମିନ ଯୋଗୁ ଶରୀରରେ ଭିଟାମିନ ବି-୧୨ସ୍ତର ହ୍ରାସ ଘଟିଥାଏ। ବି-୧୨ର ଅଭାବ ଡାଇବେଟିସ ସମସ୍ୟା ଭୋଗୁଥିବା ଲୋକଙ୍କଠାରେ ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ଯେଉଁମାନେ ଅଧିକ ମାତ୍ରାରେ ମେଟଫର୍ମିନ ଗ୍ରହଣ କରନ୍ତି, ସେମାନଙ୍କଠାରେ ଭିଟାମିନ ବି-୧୨ର ଅଭାବ ଯୋଗୁ ରକ୍ତହୀନତା ସୃଷ୍ଟି ହୋଇଥାଏ। କାରଣ ଶରୀର ଲାଲ ରକ୍ତ କଣିକା ତିଆରି କରିବା ପାଇଁ ବି-୧୨ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଆବଶ୍ୟକତା ରହିଥାଏ।

ଫୋର୍ଟିସ ସି ଡିଓସିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଅନୁପ ମିଶ୍ରଙ୍କ ଅନୁଯାୟୀ, ମେଟଫର୍ମିନ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ। ପ୍ରାୟ ୮୦ ପ୍ରତିଶତ ଡାଇବେଟିସ୍‌ ଆକ୍ରାନ୍ତ ଏହା ବ୍ୟବହାର କରିଥାନ୍ତି। ତେଣୁ ନିୟମିତ ସମୟ ବ୍ୟବଧାନରେ ବି-୧୨ ସ୍ତର ଯାଞ୍ଚ୍‌ କରିବା ଜରୁରୀ ବୋଲି ସେ କହିଛନ୍ତି।

Spread the love