ସେଭେରୋଡୋନେସ୍କରେ ବିଜୟ ବାନା ଉଡାଇଲା ଋଷ ସେନା, ଫେରି ଆସିବାକୁ ନିର୍ଦ୍ଦେଶ ଦେଲେ ପୁଟିନ ସରକାର

କିଏଭ,୨୬/୦୬: ପୂର୍ବ ୟୁକ୍ରେନ୍‌ରେ ଥିବା ବଡ଼ ସହର ସେଭେରୋଡୋନେସ୍କରେ ରୁଷ ସେନାର ବିଜୟ ହୋଇଛି । ଯୁଦ୍ଧସ୍ଥଳରୁ ଫେରିଆସିବାକୁ ଘରୋଇ ସେନାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁ ରୋକିବା ପାଇଁ ଏହା ଛଡ଼ା ଅନ୍ୟ ଉପାୟ ନ ଥିଲା ବୋଲି କୁହାଯାଉଛି । ଅନେକ ସପ୍ତାହ ହେଲା ଏଠାରେ ରୁଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିଲା । ପ୍ରତ୍ୟେକ ଦିନ ୟୁକ୍ରେନର ୧୦୦ ସୈନ୍ୟ ପ୍ରାଣ ହରାଉଥିଲେ । ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହେଉଥିଲା ।

ୟୁକ୍ରେନର ଅଧିକାରୀମାନେ କହିଛନ୍ତି ଯେ ସେଭେରୋଡୋନେସ୍କରେ ରୁଷ ସେନାର ମୁକାବିଲା କରିବା ପାଇଁ ଆଉ କୌଣସି ସୁଯୋଗ ନାହିଁ । ଏଠାରେ ଏବେ ବି ହଜାର ହଜାର ନାଗରିକ ଫସିରହିଛନ୍ତି । ସେମାନଙ୍କ ଜୀବନ ବଞ୍ଚାଇବା ଲାଗି ଘରୋଇ ସେନାକୁ ଯୁଦ୍ଧସ୍ଥଳ ଛାଡ଼ିବାକୁ କୁହାଯାଇଛି । କିଏଭ ଉପରୁ ରୁଷ ସେନା ଧ୍ୟାନ ହଟାଇବା ପରେ ପୂର୍ବ ୟୁକ୍ରେନ ଉପରେ ଟାର୍ଗେଟ କରିଥିଲେ । ଏଠାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହଜାର ହଜାର ସୈନ୍ୟ ପଠାଇଥିଲେ । ଏହାପରେ ପ୍ରଚଣ୍ଡ ଆକ୍ରମଣରେ ସେଭେରୋଡୋନେସ୍କ ଓ ଲିସିଚାଂସ୍କ ଭଳି ସହର ଧ୍ୱଂସ ହୋଇଯାଇଛି । ଅନେକ ଲୋକ ପ୍ରାଣ ହରାଇଲେଣି ।

ଲୁହାଂସ୍କ ଆଞ୍ଚଳିକ ଗଭର୍ଣ୍ଣର ସରହି ଗାଇଦାଇ କହିଛନ୍ତି, ସେଭେରୋଡୋନେସ୍କରେ ଥିବା ସୈନ୍ୟମାନଙ୍କୁ ଫେରିଆସି ନୂଆ ସ୍ଥାନରେ ମୁତୟନ ହେବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ସେମାନେ ଯୁଦ୍ଧସ୍ଥଳ ଛାଡ଼ିବା ଆରମ୍ଭ କରିଛନ୍ତି । ସେଠାରେ ଆଉ ବେଶିଦିନ ରହିଲେ, କୌଣସି ଲାଭ ହେବନାହିଁ । କେବଳ କ୍ଷତି ଦେଖିବାକୁ ପଡ଼ିବ । ତେବେ ୟୁକ୍ରେନ ସେନା ସେଭେରୋଡୋନେସ୍କ ଛାଡ଼ିବା ଅର୍ଥ ରୁଷ ସେନା ଏଠାରେ ବିଜୟ ଲାଭ କରିଛି । ଅନ୍ୟପକ୍ଷରେ ରୁଷ ସେନା ଏବେ ସମଗ୍ର ୟୁକ୍ରେନର ସାମରିକ ଘାଟି ଉପରେ ବୋମା ମାଡ଼ କରିଥିବା କିଏଭ ପକ୍ଷରୁ କୁହାଯାଇଛି ।

Spread the love