ମୌସୁମୀ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ବାଚସ୍ପତି ଶ୍ରୀ ଆରୁଖଙ୍କୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଥିଲେ।  ଏହି ବୈଠକରେ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ।ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟଦିବସ ରହିବ। ଦେଶରେ କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କଟକଣା ଜାରି କରିଥିବାବେଳେ କୋଭିଡ୍‌ କଟକଣା ମଧ୍ୟରେ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି। କୋଭିଡ୍‌ ଦୃଷ୍ଟିରୁ ପୂର୍ବ ଅଧିବେଶଗୁଡ଼ିକରେ ଗୃହକାର୍ଯ୍ୟ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଥିବାବେଳେ ବୈଠକର ନିଷ୍ପତ୍ତି ଅନୁଯାୟୀ ଗୃହରେ ଆଲୋଚନା ପାଇଁ ଅପରାହ୍ଣ ଅଧିବେଶନଗୁଡ଼ିକୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ବାଚସ୍ପତି କହିଛନ୍ତି। ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବା ପାଇଁ ବାଚସ୍ପତି ଶ୍ରୀ ଆରୁଖ ସବୁ ଦଳର ନେତୃମଣ୍ଡଳୀଙ୍କ ସହଯୋଗ କାମନା କରିଛନ୍ତି।

Spread the love