୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ଦେବେନ୍ଦ୍ର ଫଡଣବିସ୍

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି। ଏବେ ବିଜେପି ନେତା ଦେବେନ୍ଦ୍ର ଫଡଣବିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି। ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ବୁଧବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ବିଧାନ ପରିଷଦର ସଦସ୍ୟ ପଦ ଛାଡିଛନ୍ତି।

ସେପଟେ ଆସନ୍ତାକାଲି ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ରାଜ୍ୟପାଳଙ୍କ ଆସ୍ଥା ଭୋଟ୍ କରାଇବା ନିଷ୍ପତ୍ତି ବିରୋଧରେ ମହାବିକାଶ ଅଘାଡି ସରକାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ୍ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାତି ୯ଟାରେ ରାୟ ପ୍ରକାଶ କରି ଆସ୍ଥା ଭୋଟ୍ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶିବସେନା ମେଣ୍ଟ ଭାଙ୍ଗିଥିଲା। ଏନସିପି ଏବଂ କଂଗ୍ରେସ ସହିତ ମିଶି ଶିବସେନା ମହାବିକାଶ ଅଘାଡି ମେଣ୍ଟ କରି ସରକାର ଗଠନ କରିଥିଲେ। ସେହି ସମୟରେ ଫଡଣବିସ ବିଧାନସଭାରେ କହିଥିଲେ ଯେ, ମୁଁ ପୁନର୍ବାର ଫେରିବି। ଆଉ ତାଙ୍କର ଏହି ଉକ୍ତି ସତ ହେବାକୁ ଯାଉଛି। ବିଜେପି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ସୂଚନା ଅନୁଯାୟୀ, ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ତାଙ୍କ ଗୋଷ୍ଠୀରୁ ଆଠ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିନ୍ଦେ ଫଡଣବିସଙ୍କ ସହ ଯୋଗାଯୋଗ କରିଛନ୍ତି। ସଂପ୍ରତି ବିଜେପିର ବିଧାୟକଙ୍କ ସଂଖ୍ୟା  ହେଉଛି ୧୦୬। ତାଙ୍କ ଗୋଷ୍ଠୀରେ ୪୦ରୁ ଅଧିକ ବିଧାୟକ ଥିବା ଦାବି କରିଛନ୍ତି ସିନ୍ଦେ। ପୁଣି ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଆମ ପ୍ରତି ଥିବା ସିନ୍ଦେ ଦାବି କରିଛନ୍ତି।

Spread the love