ରବିବାର ଓ ସୋମବାର ଅଧିକ ଭିଜାଇବ

ଭୁବନେଶ୍ୱର, ୦୮/୦୭: ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହୋଇଥିବା ଘୂର୍ଣ୍ଣିବଳୟ ଏବଂ ଓଡ଼ିଶା ଉପର ଦେଇ ଯାଇଥିବା ମୌସୁମୀ ନିମ୍ନ ଚାପରେଖା (ଟ୍ରଫ୍‌) ପ୍ରଭାବରେ ଭାରୀ ବର୍ଷା ହେବ । ପୂରା ରାଜ୍ୟରେ ଅଧିକ ବର୍ଷା (ୱାଇଡ୍‌ ସ୍ପ୍ରେଡ୍‌) ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି ।

ଓଡ଼ିଶା ଉପର ଦେଇ ଏକ ମୌସୁମୀ ନିମ୍ନ ଚାପରେଖା ପ୍ରବାହିତ ହେଉଛି । ଦକ୍ଷିଣ ପାକିସ୍ତାନରେ କେନ୍ଦ୍ରୀଭୂତ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରୁ ଏହି ମୌସୁମୀ ନିମ୍ନ ଚାପରେଖା ଆରମ୍ଭ ହୋଇ ଅହମ୍ମଦାବାଦ, ଗୁନା, ଜବଲପୁର, ଝାରସୁଗୁଡ଼ା ଓ ଗୋପାଳପୁର ଦେଇ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯାଏ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି । ତେବେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଉଭୟ ମୌସୁମୀ ଟ୍ରଫ୍‌ ଓ ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗୁରୁବାର ନୟାଗଡ଼ରେ ୪୦ମିମି, ଢେଙ୍କାନାଳରେ ୩୮.୨, ଖୋର୍ଦ୍ଧାରେ ୩୦, ଭୁବନେଶ୍ୱରରେ ୨୨.୨, ଗୋପାଳପୁରରେ ୨୦, ସମ୍ବଲପୁରରେ ୧୯, ବାରିପଦାରେ ୮.୮ ଓ କଟକ ଜିଲ୍ଲାରେ ୮ମିମି ବର୍ଷା ହୋଇଛି ।

Spread the love