ଶେଷ ୟୁକ୍ରେନ ସୈନ୍ୟ ଥିବାଯାଏ ଯୁଦ୍ଧ ଚାଲିବ: ପୁଟିନ

କିଭ  : ୟୁକ୍ରେନର ଶେଷ ସୈନ୍ୟ ଲଢେଇ କରୁଥିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟନ କହିଛନ୍ତି। ୟୁକ୍ରେନ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଚେତାବନୀ ଦେବାସହିତ ସେମାନଙ୍କୁ ସେ ଚାଲେଞ୍ଜ ଦେଇଛନ୍ତି। ରୁଷ ସଂସଦ ଡୁମାରେ ଉଦ୍‍ବୋଧନ ଦେବା ଅବସରରେ ପୁଟିନ କହିଛନ୍ତି, ଯୁଦ୍ଧକ୍ଷେତ୍ରରେ ଏହି ରାଷ୍ଟ୍ରମାନେ ରୁଷକୁ ପରାସ୍ତ କରିବେ ବୋଲି ସେ ଶୁଣିବାକୁ ପାଉଛନ୍ତି। ସେମାନେ ନିଜ ଉଦ୍ୟମ ଜାରି ରଖନ୍ତୁ। ଡୋନ୍‍ବାସରେ ଗଣହତ୍ୟାକୁ ଉତ୍ସାହିତ କରୁଥିବା ଏବଂ ଯଥାର୍ଥ ବୋଲି କହିବା ଘଟଣାରେ ସେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ସମାଲୋଚନା କରିଛନ୍ତି। ପୁଟିନ କହିଛନ୍ତି, ଯୁଦ୍ଧ ସମୟରେ କୌଣସି ପ୍ରକାର ଶାନ୍ତି ଆଲୋଚନାକୁ ମସ୍କୋ ଅଗ୍ରାହ୍ୟ କରିନାହିଁ, କିନ୍ତୁ ଯେଉଁମାନେ ଏଥିପାଇଁ ମନା କରୁଛନ୍ତି, ସେମାନଙ୍କୁ ସେ ସତର୍କ କରାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରୁଷ-ୟୁକ୍ରେନ ଯୁଦ୍ଧ ୧୩୬ ଦିନରେ ପହଞ୍ଚିଥିବାବେଳେ ରୁଷ ସୈନ୍ୟମାନେ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍‍ ଦଖଲ କରିବାରେ ସଫଳ ହୋଇନାହାନ୍ତି। ବରଂ ସେମାନେ ଡୋନ୍‍ବାସ ଅଞ୍ଚଳ ଉପରେ ନିଜର ଦୃଷ୍ଟିନିବଦ୍ଧ କରୁଛନ୍ତି। ରୁଷ ସୈନ୍ୟମାନେ ୟୁକ୍ରେନର ଲୁହାନସ୍କ ଅଞ୍ଚଳ ନିଜ ଦଖଲକୁ ନେବା ଦିନଠାରୁ ସ୍ଲୋଭିଆନସ୍କ ରୁଷ ସୈନ୍ୟଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଥିଲା।ସମ୍ପ୍ରତି ରୁଷ ପକ୍ଷରୁ ଉକ୍ତ ଅଞ୍ଚଳ ଉପରେ ଜୋର୍‍ଦାର ଆକ୍ରମଣ ଆରମ୍ଭ ହୋଇଯାଇଛି। ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ୟୁକ୍ରେନକୁ ଯେତେ ଯେତେ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି, ରୁଷ ପକ୍ଷରୁ ଆକ୍ରମଣକୁ ସେତେ ବ୍ୟାପକ କରାଯାଉଛି।ୟୁକ୍ରେନର ଲୁହାନସ୍କ ଅଞ୍ଚଳର ଗଭର୍ଣ୍ଣର ସେରହି ହାଇଦାଇ କହିଛନ୍ତି, ରୁଷ ସୈନ୍ୟମାନେ ୟୁକ୍ରେନରେ ନିଜ ଦଖଲକୁ ନେଉଥିବା ଅଞ୍ଚଳଗୁଡିକ ନର୍କ ପାଲଟିଛି। ଉକ୍ତ ଅଞ୍ଚଳଗୁଡିକରୁ ଜନସାଧାରଣ ଅନ୍ୟତ୍ର ପଳାଇବାକୁ ୟୁକ୍ରେନ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଅନ୍ୟପକ୍ଷରେ ରୁଷର ଆକ୍ରମଣ ମଧ୍ୟରେ ନିରାପଦ ରାସ୍ତା ଅଭାବରୁ ହଜାର ହଜାର ଜନସାଧାରଣ ବଙ୍କର ଓ ଅନ୍ୟାନ୍ୟ ସ୍ଥାନରେ ଅଟକି ରହିଛନ୍ତି। ଏକ ସୂଚନା ଅନୁଯାୟୀ ରୁଷ ସୈନ୍ୟ ଡନେସ୍କ ପ୍ରଦେଶର ଅଭ୍ୟନ୍ତର ଅଞ୍ଚଳକୁ ଅଗ୍ରସର ହେବାରେ ଲାଗିଛନ୍ତି। ଏହାଦ୍ୱାରା ସେମାନେ ସମୁଦାୟ ଡୋନବାସ ଅଞ୍ଚଳ ଅକ୍ତିଆର କରିବା ଲକ୍ଷ୍ୟ ରଖିଛନ୍ତି। ପୂର୍ବ ୟୁକ୍ରେନରେ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଲୁହାନସ୍କ ଅଞ୍ଚଳରେ ଥିବା ଏକ ନର୍ସିଂ ହୋମ୍‍ ଉପରେ ଆକ୍ରମଣ କରିଛନ୍ତି। ଫଳରେ ସେଠାରେ ବହୁସଂଖ୍ୟକ ଶାରୀରିକ ଭିନ୍ନକ୍ଷମ ରୋଗୀ ନର୍ସିଂ ହୋମ୍‍ ମଧ୍ୟରେ ଅଟକି ରହିଛନ୍ତି। ସେଠାରେ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ଉକ୍ତ ରୋଗୀଙ୍କ ମଧ୍ୟରେ ଅନେକ ଶଯ୍ୟାଶାୟୀ ଥିବା ଜଣାଯାଇଛି। ୟୁକ୍ରେନ ପକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ସହାୟତା ମଗାଯିବା ବିଷୟ ଜି୨୦ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଅନ୍ୟତମ ମୁଖ୍ୟ ସ୍ଥାନ ନେଇଛି। ଆମେରିକା ପ୍ରଶାସନ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ପଠାଇବାକୁ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଚାରିଟି ଅତ୍ୟାଧୁନିକ ରକେଟ ବ୍ୟବସ୍ଥା ରହିଛି।

Spread the love