ଦ୍ୱିତୀୟ ଶ୍ରୀକ୍ଷେତ୍ର: ସିଂହଦ୍ବାରେ ପହଞ୍ଚିଲା କାଳିଆଙ୍କ ରଥ

ବାରିପଦା ୧୦/୦୭: ଆଜି ବାରିପଦା ବାହୁଡା ଯାତ୍ରାରେ ପ୍ରଥମଦିନର ରଥଟଣା ସରିଛି। ପରମ୍ପରା ଅନୁସାରେ ଗତକାଲି ରାତିରେ ଅବକାଶ ନୀତି ପରେ ଗୋଟି ପହଣ୍ଡିରେ ୩ ଠାକୁର ରଥାରୂଢ ହୋଇଥିଲେ। ଆଜି ମଧ୍ୟାହ୍ଣ ପର୍ଯ୍ୟନ୍ତ ଭକ୍ତଙ୍କୁ ମୁକ୍ତ ଦର୍ଶନ ଦେବା ପରେ ଦିନ ୨.୩୦ରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥକୁ ହଜାର ହଜାର ଶ୍ରଦ୍ଧାଳୁ ଟାଣି ନେଇ ସିଂହଦ୍ବାର ରେ ପହଞ୍ଚାଇଛନ୍ତି। ଜନ ସମୁଦ୍ର ମଧ୍ୟରେ ଶଙ୍ଖ ଘଣ୍ଟା କୀର୍ତ୍ତନ ଓ ହରିବୋଲ ଶବ୍ଦରେ ପୁରା ବଡ଼ଦାଣ୍ଡ ଦୁଲୁକି ଉଠିଥିଲା। ୨ ବର୍ଷ ର ଅପେକ୍ଷା ପରେ ଏବର୍ଷ ରଥଟଣାରେ ଭକ୍ତଙ୍କ ଭିଡ ସାଙ୍ଗକୁ ଉତ୍ସାହ ମଧ୍ୟ ଅଧିକ ଦେଖିବାକୁ ମିଳିଛି।

ପରେ ଅପରାହ୍ନ ୪.୩୦ରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ କେବଳ ମହିଳାଙ୍କ ହାତରେ ଅଧାବାଟ ଯାଏଁ ଟଣା ହୋଇ ଟାଉନ୍ ଥାନା  ଆଗରେ ରହିଛି। ଆସନ୍ତାକାଲି ଅଧାବାଟରୁ ପ୍ରଥମେ ସୁଭଦ୍ରା ସିଂହଦ୍ବାରରେ ପହଞ୍ଚିବା ପରେ ବଳଭଦ୍ରଙ୍କ ତାଳଧ୍ବଜ ମାଉସୀମା ମନ୍ଦିର ରୁ ସିଂହଦ୍ବାର ପର୍ଯ୍ୟନ୍ତ ଟଣା ହେବ। ସୁଭଦ୍ରାଙ୍କ ରଥ ଟାଣିବା ଲାଗି ମହିଳାମାନଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା ରହିଥିଲା।

ରୀତିନୀତି ପରେ  ଆସନ୍ତାକାଲି ବିଳମ୍ବିତ ସନ୍ଧ୍ୟାରେ ପୁଣି ଗୋଟିପହଣ୍ଡିରେ ତିନି ଠାକୁର ରତ୍ନବେଦୀକୁ ବିଜେ କରିବେ। ରଥଯାତ୍ରାକୁ ସୁରୁଖୁରୁରେ ସରିଥିବାରୁ ଜନସାଧାରଣ ଓ ଭକ୍ତମାନଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଧନ୍ୟନାଦ ଦେଇଛନ୍ତି। ସେପଟେ ଶାନ୍ତିଶୃଙ୍ଖଳାର ସହିତ ରଥଟଣା କରିବା ଲାଗି ଜିଲ୍ଲା ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସାରା ଜିଲ୍ଲାର ୧୦୦ ରୁ ଅଧିକ ପୋଲିସ ଅଫିସର୍ ଶାନ୍ତି ଶୃଙ୍ଖଳାର ଦାୟିତ୍ବ ନେଇଛନ୍ତି ବୋଲି ମୟୁରଭଞ୍ଜ ଏସ.ପି ରିଶିକେଷ ଡି. ଖିଲାରୀ ସୂଚନା ଦେଇଛନ୍ତି।

Spread the love