ମହଣ ମହଣ ସୁନାରେ ବିଭୂଷିତ ହେଲେ ଶ୍ରୀଜିଉ, ଦୁଇ ବର୍ଷ ପରେ ସୁନାବେଶ ଦେଖି ଆତ୍ମ ବିଭୋର ଭକ୍ତ

ପୁରୀ: ସକାଳୁ ତିନିରଥ ଉପରେ ଦୈନନ୍ଦିନ ନୀତି ସରିବା ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ| ଦୁଇବର୍ଷ ପରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦେଖି ଆତ୍ମ ବିଭୋର ହୋଇ ଉଠିଛନ୍ତି।  ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ ଲୋକଙ୍କ ଆଗମନୀ ମଧ୍ୟ ବଢ଼ିବାରେ ଲାଗିଛି |  ଆଜି ରଥ ଉପରେ ନିତି ବଢି ମଧ୍ୟାହ୍ନ ଧୂପ,ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯାଇଛି। ୨ ବର୍ଷ ପରେ ସ୍ଵଚକ୍ଷୁରେ  ସିଂହଦ୍ଵାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଛି । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ କରାଯାଇଛି । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ । ଇତିହାସ କୁହେ ତତ୍କାଳୀନ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାବ୍ଦରେ ସମଗ୍ର ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ । ଠାକୁରଙ୍କୁ ଏ ସମସ୍ତ ଅଳଙ୍କାର ଗଜପତି ଉତ୍ସର୍ଗ କରିବା ସହିତ ଆଗ୍ରହ କରିଥିଲେ ଠାକୁରଙ୍କୁ ଏସବୁ ଲାଗି କରିବା ପାଇଁ । ଅଳଙ୍କାର ଦାୟିତ୍ଵରେ ଥିବା ତଢ଼ାଉକରଣ ଗଜପତିଙ୍କୁ ଅନୁରୋଧ କରିଥିଲେ ରଥ ଉପରେ ସର୍ବସମ୍ମୁଖରେ ଠାକୁରଙ୍କ ସୁନାବେଶ କରିବା ପାଇଁ । ଏଣୁ ରଥ ଉପର ସୁନାବେଶକୁ ବଡ଼ତଢ଼ାଉ ବେଶ କୁହାଯାଉଛି ।

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯିବ । ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି ହେବେ । ସେହିଭଳି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୁଅନ୍ତି ।

ଶ୍ରୀମନ୍ଦିର ରତ୍ନସିଂହାସନରେ କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଦଶହରା(ବିଜୟା ଦଶମୀ)ରେ ଠାକୁରଙ୍କ ସୁନାବେଶ ହୁଏ । ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଦର୍ଶନାର୍ଥୀ ଅସରନ୍ତି ଆନନ୍ଦ ପାଏ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ସ୍ୱଚକ୍ଷୁରେ ସୁନାବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ । ବାଧ୍ୟ ହୋଇ ଶ୍ରଦ୍ଧାଳୁମାନେ ଟିଭି ପରଦାରେ ଠାକୁରଙ୍କ ସୁନାବେଶ ଦେଖିଥିଲେ । ଏଣୁ ଚଳିତବର୍ଷ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥାରୂଢ ଠାକୁରଙ୍କୁ ସୁନାବେଶରେ ଦେଖି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ ।

Spread the love