୨୦୨୩ରେ ଚୀନକୁ ଟପିବ ଭାରତର ଜନସଂଖ୍ୟା, ଜାତିସଂଘର ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ୨୦୨୩ରେ ଚୀନକୁ ଟପିବ ଭାରତର ଜନସଂଖ୍ୟା । ଆସନ୍ତାବର୍ଷ ଭାରତ ଚୀନକୁ ପଛରେ ପକାଇ ଜନସଂଖ୍ୟାରେ ବିଶ୍ୱର ଏକ ନମ୍ୱର ଦେଶ ହୋଇପାରେ ବୋଲି ମିଳିତ ଜାତିସଂଘ କହିଛି । ସୋମବାର ମିଳିତ ଜାତିସଂଘ ପ୍ରକାଶ କରିଥିବା ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, ଆସନ୍ତା ୨୦୨୨ ନଭେମ୍ୱର ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ ବୋଲି ଦାବି କରାଯାଇଛି । ଜାତିସଂଘର ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି ସ୍ଥିର ରହିପାରେ ଏବଂ ଆସନ୍ତା ୨୦୩୦ ମସିହା ସୁଦ୍ଧା ଏହା ୮୫୦ କୋଟିରେ ପହଞ୍ଚିପାରେ। ସେହିପରି ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୯୭୦ କୋଟି ପହଞ୍ଚିପାରେ । ୨୦୮୦ ମସିହା ସୁଦ୍ଧା ବିଶ୍ୱ ଜନସଂଖ୍ୟା ଏହାର ଶିଖର ଛୁଇଁପାରେ ଏବଂ ଏହା ୧୦.୪ ବିଲିୟନ ପାଖାପାଖି ରହିପାରେ ।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରେସ କହିଛନ୍ତି, ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସ (ଜୁଲାଇ ୧୧) ଏକ ମାଇଲଖୁଣ୍ଟ ଅଟେ, ପୃଥିବୀର ଆଠ ବିଲିୟନ ନିବାସୀଙ୍କ ଜନ୍ମର ଆଶା ରହିଛି । ଏହା ଆମର ବିବିଧତା ପାଇଁ ଉତ୍ସବ ପାଳନ କରିବାର ଏକ ଅବସର । ନିକଟ ଅତୀତର ବର୍ଷରେ ଲୋକଙ୍କ ହାରାହାରି ବୟସ ବୃଦ୍ଧି ପାଇଛି ଏବଂ ଶିଶୁ ମୃତ୍ୟୁ ହାରରେ ହ୍ରାସ ଘଟିଛି । ଏହାସହ ଏହା ମଧ୍ୟ ମନେ ରଖିବା ଦରକାର ଯେ, ଏହି ଗ୍ରହର ଦାୟିତ୍ୱ ଆମ ସଭିଙ୍କର ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳ ହେଉଛି ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ। ଏଠାରେ ୨.୩ ବିଲିୟନ ଲୋକେ ବସବାସ କରନ୍ତି, ଯାହା ବିଶ୍ୱ ଜନସଂଖ୍ୟାର ୨୯ ପ୍ରତିଶତ । ସେହିପରି ମଧ୍ୟ ଏବଂ ଦକ୍ଷିଣ ଏସିଆର ଜନସଂଖ୍ୟା ୨.୧ ବିଲିୟନ, ଯାହା ମୋଟ ଜନସଂଖ୍ୟାର ୨୬ ପ୍ରତିଶତ । ଚୀନ ଏବଂ ଭାରତ ବିଶ୍ୱର ଦୁଇଟି ଜନବହୁଳ ରାଷ୍ଟ୍ର । ଅନ୍ୟପଟେ ବିଶ୍ୱ ଜନସଂଖ୍ୟା ବୃଦ୍ଧିରେ ଆଠଟି ଦେଶର ଯୋଗଦାନ ଅଧା ରହିଛି। ଏହି ଦେଶ ଗୁଡିକ ମଧ୍ୟରେ କଙ୍ଗୋ, ଇଜଇପ୍ଟ, ଇଥୋଓପିୟା, ଭାରତ, ନାଇଜେରିଆ,ପାକିସ୍ତାନ, ଫିଲିପିନ୍ସ, ତାଞ୍ଜାନିଆ ସାମିଲ ରହିଛି।

Spread the love