ଓଡ଼ିଶାରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହେଲା ରବର ବ୍ୟାଣ୍ଡ ପ୍ରସ୍ତୁତି କେନ୍ଦ୍ର

ବାରିପଦା, ୧୨/୦୭: ଓଡ଼ିଶାରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହେଲା ରବର ବ୍ୟାଣ୍ଡ ପ୍ରସ୍ତୁତି କେନ୍ଦ୍ର । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ କେନ୍ଦୁଗାଡ଼ି ଗ୍ରାମରେ ଏହାର ମେନୁଫ୍ୟାକ୍ଚରିଂ ୟୁନିଟ ସ୍ଥାପନ ସରିଛି । ଆଜି ଏହାର ଶୁଭାରମ୍ଭ କରିଛନ୍ତି ଭାରତ ସରକାରଙ୍କ ରବର ବୋର୍ଡ଼ ବିଭାଗର ଏକ୍ସିକୁଟିଭ ଡାଇରେକ୍ଟର ଡ.କେ ଏନ ରାଘବନ । କେନ୍ଦୁଗାଡ଼ି ରବର୍ ପ୍ରଡ୍ୟୁସର୍ ସୋସାଈଟି ଦ୍ଵାରା ନିର୍ମିତ ରବର୍ ବ୍ୟାଣ୍ଡ ଜିଲ୍ଲାର ରବର ବ୍ୟାଣ୍ଡର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯାଉଛି । ଓଡ଼ିଶା ସରକାରଙ୍କ ଓର୍ମାସ ଦ୍ଵାରା ଏହାର ମାର୍କେଟିଂ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଚାଷୀ ଓ ୬ଜଣ ଆଦିବାସୀ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯେଉଁ ଜମି ଚାଷ ଉପଯୋଗୀ ନୁହେଁ, ସେହି ଜମିରେ ରବର ଗଛ ଲଗାଯାଇ ଅର୍ଥ ଉପାର୍ଜନ କରାଯାଉଛି ।

ସରକାରଙ୍କ ନିକଟରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତାରେ ଆରମ୍ଭ ହୋଇଥିବା ଏହି ୟୁନିଟ୍‌ଟି ଗତ ବର୍ଷ କେବଳ ରବର ଚାଦର ପ୍ରସ୍ତୁତ କରି ଅଶୀ ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ରବର ବ୍ୟାଣ୍ଡ ପ୍ରସ୍ତୁତ ୟୁନିଟର ଶୁଭାରମ୍ଭ ହୋଇଯାଇଥିବା ବେଳେ ଏହା ନିଶ୍ଚିତ ରୁପେ ଆଦିବାସୀ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ ବୋଲି ଆଶା ରଖିଛନ୍ତି କପ୍ତିପଦା ପିଏ ଆଇଟିଡିଏ ଦେବଦତ୍ତ ପଣ୍ଡା। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ୟୁନିଟର ଶୁଭାରମ୍ଭ ଦ୍ଵାରା ଆଦିବାସୀ ପାରିବାର ତରଫରୁ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Spread the love