ବର୍ଷାଯୋଗୁ ଦ୍ରୌପଦୀ ମୁର୍ମୁଙ୍କ ଗୁଜରାଟ ଗସ୍ତ ବାତିଲ, ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରଦ୍ଦ

ନୂଆଦିଲ୍ଲୀ ୧୨।୭: ରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବୁଧବାର ଗୁଜରାଟ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ରାଜ୍ୟରେ ବର୍ଷା ଓ ତଦଜନିତ ପରିସ୍ଥିତି ଲାଗି ମୁର୍ମୁଙ୍କୁ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡିଛି। ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ଆଶଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୫ ଜୁଲାଇ ଗୁଜରାଟ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରଦ୍ଦ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୫ ଜୁଲାଇ ୧ ଦିବସୀୟ ଗୁଜରାଟ ଗସ୍ତରେ ହିମ୍ମତ ନଗରରେ ସାବର ଡାୟେରୀର ନୂଆ ପ୍ଲାଣ୍ଟ ଉଦଘାଟନ ସମେତ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ଷା ଯୋଗୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଅତି ବର୍ଷା ଯୋଗୁ ଗୁଜରାଟର କେତେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି। ଏଥିରେ ଗୁଜରାଟ ବଲସାଡର ସବୁ ସ୍କୁଲ କଲେଜ ବନ୍ଦ ହୋଇଛି।

ପାଣିପାଗ ବିଭାଗ ଟ୍ୱିଟ୍‌ କରି ଆଗାମୀ ୪-୫ ଦନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକ ଲାଗି ଭୀଷଣ ବର୍ଷାନୁମାନ କରିଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଲାଗି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୩ ତାରିଖ  ପରିବର୍ତ୍ତେ ୧୭ ତାରିଖ ଦିନ ଗୁଜରାଟ ଗସ୍ତ କରିବେ ବୋଲି ଜଣାପଡିଛି।   

Spread the love