ଶ୍ରୀନଗର ଲାଲ ବଜାରରେ ପୋଲିସ ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ; ଜଣେ ଏଏସଆଇ ଶହୀଦ

ଶ୍ରୀନଗର ୧୨/୦୭: ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଏକ ପୋଲିସ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଏଏସଆଇ ଶହୀଦ ହେବା ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ଆହତ ହୋଇଛନ୍ତି। ଆହତ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସେନା ଓ ପୋଲିସ ଟିମ୍‌ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ଆତଙ୍କବାଦୀମାନଙ୍କୁ ଖୋଜୁଛନ୍ତି।

ପୋଲିସ ସୂଚନା ଅନୁସାରେ ଏହି ଆକ୍ରମଣ ଲାଲବଜାର ଅଞ୍ଚଳରେ ହୋଇଛି। ଏହି ଅଞ୍ଚଳରେ ସବୁବେଳେ ଲୋକମାନଙ୍କର ଗହଳି ଲାଗିଥାଏ। ଲାଲବଜାର ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସର ଏକ ଟିମ୍‌କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏଏସଆଇ ମୁସ୍ତାକ ଅହମ୍ମଦ ଗଭୀର ଆହତ ହୋଇଥିଲେ। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ପ୍ରାଣ ହରାଇଛନ୍ତି । ଏଥିରେ ଅନ୍ୟ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଲାଲବଜାରରେ ଥିବା ଜିଡି ଗୟୋନକା ସ୍କୁଲ ବାହାରେ ଆତଙ୍କବାଦୀମାନେ ପୋଲିସ ଟିମ୍‌କୁ ଗୁଳି କରିଥିଲେ। ପୋଲିସ ଆକ୍ରମଣକୁ ବିଫଳ କରିଥିଲା କିନ୍ତୁ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଆତଙ୍କୀ ଆକ୍ରମଣ ସୂଚନା ମିଳିବା ପରେ ଲାଲବଜାର ଅଞ୍ଚଳକୁ ସେନା ଓ ପୋଲିସର ମିଳିତ ଟିମ୍‌ ସିଲ୍‌ କରି ଏବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Spread the love