ସିଫାରେ ୨୨ତମ ଜାତୀୟ ମତ୍ସ୍ଯଚାଷୀ ଦିବସ ପାଳିତ

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଆନୁକୂଲ୍ଯରେ ପରିଚାଳିତ ଭୁବନେଶ୍ୱର ଉପକଣ୍ଠ କୌଶଲ୍ଯାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ୨୨ତମ ‘ଜାତୀୟ ମତ୍ସ୍ଯଚାଷୀ ଦିବସ‘ ମହାଆଡମ୍ବର ସହକାରେ ପାଳନ କରାଯାଇଛି। ଏଥିରେ କିଟ୍‌ର କୁଳପତି ପ୍ରଫେସର ସସ୍ମିତା ରାଣୀ ସାମନ୍ତ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ । ସିଫାରେ କାର୍ଯ୍ଯରତ ବୈଜ୍ଞାନିକମାନଙ୍କୁ ତାଙ୍କର ଉତ୍ସର୍ଗୀକୃତ ରାଷ୍ଟ୍ର ସେବା ପାଇଁ ପ୍ରଶଂସା କରିବା ସହିତ କ୍ଷୁଦ୍ର ମତ୍ସ୍ଯଚାଷୀମାନଙ୍କ ଲାଭ ପାଇଁ ନୂତନ ପଦ୍ଧତି ପ୍ରବର୍ତନ କରିବାକୁ କହିଥିଲେ। ପ୍ରଫେସର ସାମନ୍ତ ଜୈବିକ ମତ୍ସ୍ଯଚାଷ ସହିତ ପରିବେଶ ସୁରକ୍ଷା ଓ ସ୍ୱଳ୍ପ ଜଳରେ ମାଛ ଚାଷ କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ଆହ୍ଵାନ ଦେଇଥିଲେ। ତେବେ ମହାନ ମତ୍ସ୍ଯ ବୈଜ୍ଞାନିକ ଡ. କେ. ଏଚ୍‌. ଆଲିକୁନି ଏବଂ ପ୍ରଫେସର ହୀରାଲାଲ ଚୌଧୁରୀଙ୍କ ଦ୍ୱାରା ୧୦ ଜୁଲାଇ ୧୯୫୭ ମସିହାରେ ଆବିଷ୍କୃତ ’ପ୍ରବର୍ତିତ ପ୍ରଜନନ ପ୍ରଣାଳୀ’କୁ ମନେପକାଇବା ଓ ମତ୍ସ୍ଯଜୀବୀ ମାନଙ୍କ ପ୍ରଶଂସନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦେଶ୍ଯରେ ଏହି ଦିବସକୁ ପାଳନ କରାଯାଇଥାଏ।

ମତ୍ସ୍ଯଚାଷ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ଉନ୍ନତି ପାଇଁ ସମସ୍ତ ବୈଜ୍ଞାନିକ, କୃଷକ ଏବଂ ଅଂଶୀଦାର ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକମାନଙ୍କୁ ମତ୍ସ୍ଯ ପାଳନ, ରୋଗ, ଖାଦ୍ୟ ଏବଂ ଜଳବାୟୁ ପରିବର୍ତନ ସମ୍ବନ୍ଧରେ ସିଫା ବିଭିନ୍ନସମୟରେ ସୂଚନା ଓ ପରାମର୍ଶ ଦେଇ ଆସୁଛି । ବୈଜ୍ଞାନିକମାନେ ଗବେଷଣା କୌଶଳକୁ ନୂତନ ଦୃଷ୍ଟିଭଂଗୀ ଦେଇ କୃଷକମାନଙ୍କର ସମସ୍ଯାର ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତେ ଉନ୍ନତ ମାନର ମାଛ ପାଇପାରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଇସିଏଆର୍‌-ସିଫାର ପୂର୍ବତନ ପ୍ରଧାନ ବୈଜ୍ଞାନିକ ଡଃ କେ. ଜେ. ରାଓ ଯୋଗଦାନ କରି ମତ୍ସ୍ଯଚାଷୀ ଦିବସର ଗୁରୁତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଡଃ ରାଓ ବିଭିନ୍ନ ପ୍ରଜାତିର ଗୋଷ୍ଠୀ ବନାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୃଷକ ମାନଙ୍କର କୌଶଳ ବୃଦ୍ଧି କରିବା ପାଇଁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ଓ ସଂପ୍ରସାରଣ କାର୍ଯ୍ଯକ୍ରମକୁ ଦୃଢ କରିବାକୁ କହିଥିଲେ।

ସମୟ ଉପଯୋଗୀ ’ପ୍ରବର୍ତିତ ପ୍ରଜନନ ପ୍ରଣାଳୀ’ର ଉଦ୍‌ଭାବନ ମତ୍ସ୍ଯଚାଷକୁ ଭାରତ ଏବଂ ବିଦେଶରେ ଅଧିକ ଲୋକପ୍ରିୟ କରିପାରିଛି । ଗତ ତିନି ଦଶନ୍ଧି ଧରି ମାଛ ଓ ଚିଙ୍ଗୁଡ଼ିର ପ୍ରଜନନ, ପାଳନ ଉପରେ ସିଫା ବିଭିନ୍ନ ଗବେଷଣା ଜାରି ରଖିଛି। ଗବେଷଣାଲବ୍ଧ ଜ୍ଞାନକୁ କୃଷକ ଓ ମତ୍ସ୍ଯ ଉଦ୍ୟୋଗୀ ମାନଙ୍କ ପାଖରେ ପହଂଚାଇପାରିଛି । ଏଫ୍‌ଆର୍‌ପି ପୋର୍ଟେବୁଲ ହାଚେରୀ, ବିଭିନ୍ନ ମାଛ ପାଇଁ ଖାଦ୍ୟ ପ୍ରସ୍ତୁତି, ରୋଗ ନିରୂପଣ କିଟ୍‌, ସିଫା ବ୍ରୁଡ୍‌, ହାଇବ୍ରିଡ ଡିଟେକ୍ସନ କିଟ୍‌ ଉଦ୍‌ଭାବନ, ମତ୍ସ୍ଯସେତୁ ଆପ୍‌ କୃଷକମାନଙ୍କ ଉନ୍ନତି ପାଇଁ ଏହା ଉତ୍ସର୍ଗୀକୃତ । ଶେଷରେ ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନର ସ୍ମରକୀ ସ୍ୱରୂପ ମତ୍ସ୍ଯଚାଷୀ ଦିବସର ବିଷୟବସ୍ତୁ ‘ଏମର୍ଜିଂ ଆକ୍ୱାକଲ୍ଚର ସିଷ୍ଟମ୍‌ ଏଣ୍ଡ୍‌ ପ୍ରାକ୍ଟିସେସ୍‌‘ ଶୀର୍ଷକ ଆଲୋଚନାଚକ୍ରରେ ପ୍ରାୟ ୨୦୦ କୃଷକ ଭାଗ ନେଇଥିଲେ। ବିଶେଷକରି ମହିଳା କୃଷିଜୀବି, ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ ଓ ଓଡିଶା ସରକାରଙ୍କ ବିଭିନ୍ନ ଅଧିକାରୀ ଓ ସିଫା ବୈଜ୍ଞାନିକ ମାନଙ୍କ ମଧ୍ୟରେ ଏକ ଭାବବିନିମୟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତର ବିଭିନ୍ନ ରାଜ୍ଯର ପ୍ରାୟ ୧୫ଜଣ ମତ୍ସ୍ଯ ଚାଷୀ ଓ ମତ୍ସ୍ଯ ଉଦ୍ୟୋଗୀଙ୍କୁ ସମ୍ମାନୀତ କରାଯାଇଥିଲା। ଏହା ସହିତ ଛଅଟି ପତ୍ରିକା ଓ କାର୍ପ ମାଛ ଖାଦ୍ୟ ଉପରେ ଏକ ଭିଡିଓ ଫିଲ୍ମ ଉନ୍ମୋଚିତ ହୋଇଥିଲା। ଯେଉଁଥିରେ ମତ୍ସ୍ୟଚାଷ ସମ୍ପର୍କିତ ସମସ୍ତ ତଥ୍ଯ କୁ ସ୍ଥାନିତ କରାଯାଇଥିଲା । ଯାହାକୁ ମତ୍ସ୍ୟଚାଷୀମାନଙ୍କୁ ଚାଷ କାର୍ଯ୍ଯ ପାଇଁ ଆଗକୁ ବଢିବାରେ ସହାୟକ ହେବ ।

Spread the love