ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଡୁଆରେ କର୍ତ୍ତୃପକ୍ଷ

ସମ୍ବଲପୁର  : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲଗାତାର ୩ଦିନ ଧରି ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଡୁଆରେ କର୍ତ୍ତୃପକ୍ଷ । ପରୀକ୍ଷା ନିୟନ୍ତ୍ରକଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ପ୍ରଶ୍ନପତ୍ର ଲିକ୍ କଲା ତାକୁ ନେଇ ଅନ୍ଧାରରେ ବାଡି ବୁଲାଇଛନ୍ତି କର୍ତ୍ତୃପକ୍ଷ । ବାରମ୍ବାର ଅପିଲ ପରେ ଥାନାରେ ମାମଲା ରୁଜୁ ହୋଇଛି ।ସେପଟେ ସମ୍ପୃକ୍ତ ୨ ପ୍ରଫେସରଙ୍କୁ ଡାକି ନିଜର ପକ୍ଷ ରଖିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ । ହେଲେ ସତରେ ଦୋଷୀ ଧରାପଡିବେ ନାଁ ଅନ୍ୟ କାହାକୁ ଫସାଇ ଦିଆଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ସୂଚନା ଥାଉକି, ଶୁକ୍ରବାର ହେବାକୁ ଥିବା ଫିଜିକ୍ସ କୋର୍-୧୪ର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଅନ୍ୟପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ ।ଏନେଇ ନୋଟିସ୍ ଜାରି କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ନୋଟିସ୍ ମାଧ୍ୟମରେ ୨୦୫ଟି କଲେଜର ପ୍ରିନ୍ସିପାଲମାନଙ୍କୁ ଅବଗତ କରାଯାଇଛି । ୧୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଦିନ ୧୦ଟାରୁ ୧ଟା ସମୟ ନିର୍ଘଣ୍ଟ କରାଯାଇଛି ।

Spread the love