ବର୍ଷା ହେଉନି, ଇନ୍ଦ୍ର ଦେବତାଙ୍କ ବିରୋଧରେ ମାମଲା ରୁଜୁ, ତହସିଲଦାର କହିଲେ- କାର୍ଯ୍ୟାନୁଷ୍ଠାନ ନିଆଯିବ

ଗୋଣ୍ଡା: କିଛି ମାସ ବର୍ଷାର ହେଉ ନାହିଁ। ଚାଷ କାମ ଠପ୍। ଜୀବ ଜନ୍ତୁ ସବୁ ପ୍ରଭାବିତ। କେମିତି କାମ ଚାଲିବ ଇନ୍ଦ୍ର ଦେବ। ଏମିତି ଅଭିଯୋଗ କରି ଭଗବାନ ଇନ୍ଦ୍ର ଦେବଙ୍କ ନାଁରେ କେସ୍ ରୁଜୁ କରିଛନ୍ତି ଜଣେ ବ୍ୟକ୍ତି। ଏପରିକି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ତହସିଲଦାର। ଏମିତି ଅଦ୍ଭୁତ ଘଟଣା ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲା କରନେଲଗଞ୍ଜରେ ଦେଖିବାକୁ ମିଳିଛି।

ଗୋଣ୍ଡା ଜିଲ୍ଲାର କୋଡିଆ ଥାନା ଅନ୍ତର୍ଗତ ଝାଲା ଗାଁର ସୁମିତ କୁମାର ଯାଦବ ଏସଡିଏମ ହୀରାଲାଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ବିଗତ ଅନେକ ମାସ ହେବ ବର୍ଷା ହୋଇ ନାହିଁ। ଚାଷ କାମ ଠପ୍ ପଡିବା ସହ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜୀବଜନ୍ତୁ ପାଣି ପାଇଁ କଲବଲ୍ ହେଲେଣି। ତେଣୁ ନିବେଦନ କରୁଛି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସୁମିତଙ୍କ ଏହି ଅଭିଯୋଗ ପତ୍ରକୁ ତହସିଲଦାର  କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ବଢାଇଛନ୍ତି।

ଏବେ ବଡ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନିକ ଅଧିକାରୀ ଅଭିଯୋଗ ଆଧାରରେ ଇନ୍ଦ୍ର ଦେବତାଙ୍କ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲୋକଙ୍କ ସମସ୍ୟାର କେମିତି ସମାଧାନ କରୁଛନ୍ତି। ତହସିଲଦାର ମାମଲା ଆଗକୁ ବଢାଇବା ପରେ ଅଭିଯୋଗ ପତ୍ର ସଂପ୍ରତି ସାମାଜିକ ଗଣମାଧ୍ୟମରେ  ଭାଇରାଲ୍ ହୋଇଛି। ଲୋକେ ପ୍ରଶ୍ନ କରିଛନ୍ତି ଯେ, ଏହି ଧରଣର ଅଭିଯୋଗ ପତ୍ରକୁ ନପଢି ତହସିଲଦାର କେମିତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ।

ଅଭିଯୋଗ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଡ. ଉଜ୍ଜ୍ଵଳ କୁମାର  ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Spread the love