ଶ୍ରାବଣ ମାସରେ ସରଯୁ ନଦୀରୁ ମିଳିଲା ଚାନ୍ଦିର ଶିବଲିଙ୍ଗ

ଉତ୍ତର ପ୍ରଦେଶର ମଉ ଜନପଦସ୍ଥିତ ସରଯୁ ନଦୀରୁ ଚାନ୍ଦିର ଶିବଲିଙ୍ଗ ମିଳିଛି। ଅଞ୍ଚଳବାସୀ ଏହି ଶିବଲିଙ୍ଗକୁ ଗାଁ ମନ୍ଦିରରେ ରଖିଛନ୍ତି। ଗ୍ରାମବାସୀ ଏହାକୁ ଚମତ୍କାର ବୋଲି ଭାବି ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ନଦୀରୁ ଚାନ୍ଦିର ଶିବଲିଙ୍ଗ ମିଳିବା ଖବର ଚାରିଆଡ଼େ ବ୍ୟାପିଯିବା ପରେ ଘଟଣାସ୍ଥଳକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି। ପୋଲିସ ସୂଚନା ଅନୁଯାୟୀ, ଶିବଲିଙ୍ଗର ଉପର ପରସ୍ତ ଚାନ୍ଦିରେ ନିର୍ମିତ ହୋଇଥିବା ବେଳେ ଭିତରେ ଲାଖ ଭରି ରହିଛି। ଶିବଲିଙ୍ଗର ଓଜନ ରହିଛି ପାଖାପାଖି ୨୧ କିଲୋ। ଶ୍ରାବଣ ମାସରେ ନଦୀରୁ ଶିବଲିଙ୍ଗ ମିଳିଥିବାରୁ ଏହାକୁ ଦର୍ଶନ ପାଇଁ ଲୋକଙ୍କ ନାହିଁ ନ ଥିବା ଭିଡ଼ ଜମିଛି। ଏ ନେଇ ପ୍ରଥମେ ସ୍ଥାନୀୟ ବାସିନ୍ଦା ଆଚାର୍ଯ୍ୟ ଶ୍ୟାମ ପାଣ୍ଡେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ପହଞ୍ଚି ଅଞ୍ଚଳବାସୀଙ୍କୁ ଶିବଲିଙ୍ଗ ଦର୍ଶନ କରାଇବା ନେଇ ନିଶ୍ଚିତ କରିଥିଲା। ଏହାପରେ ଶିବଲିଙ୍ଗକୁ ଥାନା ପରିସରକୁ ନିଆଯାଇଥିଲା। ପୋଲିସ କହିଛି ଯେ ଶିବଲିଙ୍ଗର ପ୍ରାମାଣିକତା ଏବଂ ଧାତୁ ବିଷୟରେ ଅବଗତ ହେବା ପାଇଁ ଯାଞ୍ଚ ଏଜେନ୍ସିକୁ ସୂଚନା ଦିଆଯାଇଛି। ଶିବଲିଙ୍ଗ କେଉଁ ଅଞ୍ଚଳର ଏବଂ ଏହା ପଛର ରହସ୍ୟ କ’ଣ ରହିଛି, ତାହା ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ କରିବେ। ଯାଞ୍ଚ ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟ ପକ୍ଷରେ ସରଯୁ ନଦୀରୁ ମିଳିଥିବା ଏହି ଶିବଲିଙ୍ଗ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ହଜାର ହଜାର ଲୋକ ଶିବଲିଙ୍ଗ ଦର୍ଶନ କରିବା ପାଇଁ ପହଞ୍ଚୁଛନ୍ତି। ଶିବଲିଙ୍ଗ ଚାନ୍ଦିରେ ନିର୍ମିତ ହୋଇଥିବାରୁ ଏବେ ଏହାକୁ ସ୍ଥାନୀୟ ଏକ ମନ୍ଦିର ପରିସରରେ ରଖାଯାଇଛି। ଘଟଣାଟି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Spread the love