ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

ଶ୍ରୀ କୋବିନ୍ଦ କହିଛନ୍ତି​‌ ଉନବିଂଶ ଶତାବ୍ଦୀରେ ଭାରତ ଅନେକ ସମସ୍ୟା ମଧ୍ୟ ଦେଇ ଗତିକରିଥିଲା। ମାତ୍ର ଏକବିଂଶ ଶତାବ୍ଦୀ ଭାରତର ଯୁଗ ହେବାକୁ ଯାଉଛି। ଏଥିପାଇଁ ଭାରତ ନିଜକୁ ପ୍ରସ୍ତୁତ କରିଚାଲିଛି। ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରୀ କୋବିନ୍ଦ ସ୍ମରଣ କରି କହିଛନ୍ତି ଯେ ବାଲ ଗଙ୍ଗାଧର ତିଳକଙ୍କ ଠାରୁ ଭଗତ ସିଂହ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହାର ଲାଲ ନେହେରୁ, ସର୍ଦ୍ଦାର ପଟେଲ, ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରମୁଖ ଇତିହାସ ସୃଷ୍ଟି କରିଯାଇଛନ୍ତି। ଦେଶର ସାମୂହିକ ସ୍ବାର୍ଥ ପାଇଁ ଏମାନଙ୍କ ତ୍ୟାଗ ମାନବ ଜାତି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। ସେ କହିଛନ୍ତି ଯେ ନ୍ୟାୟ, ସମାନତା, ସ୍ବାଧୀନତା ଓ ଭାତୃତ୍ବଭାବ ଗଣତନ୍ତ୍ରର ମୂଳ ଆଧାର। ଏଥିରେ କେହି ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ। ଆମର ସମ୍ବିଧାନ ପ୍ରଣେତା ଡକ୍ଟର ଆମ୍ବେଦକର ଦୁଇ ପ୍ରକାର ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦେଖାଇଛନ୍ତି। ଗୋଟିଏ ହେଲା ରାଜନୈତିକ ଗଣତନ୍ତ୍ର ଓ ଅନ୍ୟଟି ହେଲା ସାମାଜିକ ଗଣତନ୍ତ୍ର। ସାମାଜିକ ଗଣତନ୍ତ୍ର ହେଉଛି ବ୍ୟକ୍ତି ଜୀବନ ଧାରଣର ମାନ। ଯେଉଁଥିରେ ସମାନତା, ସ୍ବାଧୀନତା ଓ ଭାତୃତ୍ବଭାବକୁ ପ୍ରାଥମିକତା ଦିଆଯାଇଥାଏ।
ବିଶେଷକରି ଆମ ଭବିଷ୍ୟତ ପିଢିର ପିଲାମାନଙ୍କ ନିମନ୍ତେ ଆମେ ଜଳ, ଜମି, ବାୟୁର ପ୍ରଦୂଷଣକୁ ରୋକିବା ଜରୁରୀ। ସେ କହିଛନ୍ତି ଯେ ଦେଶ ଏବେ ପ୍ରତ୍ୟେକ ପରିବାରକୁ ଘର, ପାନୀୟ ଜଳ ଓ ବିଜୁଳି ଯୋଗାଇ ଦେବାକୁ କାର୍ଯ୍ୟ କରୁଛି। ଆମର ସାମାଜିକ କର୍ମୀମାନେ ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ବିକାଶ ସହିତ ଯୋଡିବାକୁ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି।

Spread the love