ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ୍ତାଳୀ ନାମ ଥିଲା ‘ପୁତି’, ସ୍କୁଲ ଶିକ୍ଷକ ବଦଳାଇଥିଲେ ନାଁ, ପଢନ୍ତୁ ଏହା ପଛର ରୋଚକ କାହାଣୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇ ଆଜି ଇତିହାସ ରଚିଛନ୍ତି ଦ୍ରୌପଦୀ ମୁର୍ମୁ। ହେଲେ ତାଙ୍କ ନାଁ ଦ୍ରୌପଦୀ କେମିତି ହେଲା, କିଏ ଏହି ନାମକରଣ କଲା ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି। ମହାକାବ୍ୟ ଭାରତର ଏକ ଚରିତ୍ରର ନାଁରେ ତାଙ୍କ ନାମକରଣ କରିଥିଲେ ସ୍କୁଲ ଶିକ୍ଷକ। ଏକ ଅଡିଓ ଭିଡିଓ ପତ୍ରିକାକୁ କିଛି ଦିନ ପୂର୍ବେ ଦେଇଥିବା ଏକ ସାକ୍ଷାତକାରରେ ମୁର୍ମୁ କହିଥିଲେ, ତାଙ୍କର ସାନ୍ତାଳୀ ନାମ ‘ପୁତି’ ଥିଲା। ହେଲେ ସ୍କୁଲ୍ ଶିକ୍ଷକ ନାମ ବଦଳାଇ ଦ୍ରୌପଦୀ ରଖିଥିଲେ। ମୁର୍ମୁ ପତ୍ରିକା ସହ ସ୍ଵତନ୍ତ୍ର ସାକ୍ଷାତକାରରେ କହିଥିଲେ, ଦ୍ରୌପଦୀ ମୋର ପ୍ରକୃତ ନାମ ନଥିଲା। ଅନ୍ୟ ଜିଲ୍ଲାର ଜଣେ ଶିକ୍ଷକ ମୋର ଏହି ନାମକରଣ କରିଥିଲେ।

ମୁର୍ମୁ କହିଥିଲେ, ମୋତେ ଦ୍ରୌପଦୀ ନାଁ ଦେଇଥିବା ଶିକ୍ଷକ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷକତା କରୁଥିଲେ। ଶିକ୍ଷକ ୧୯୬୦ ଦଶନ୍ଧିରେ ବାଲେଶ୍ଵର ଏବଂ କଟକ ଯାଉଥିଲେ। ସେହି ଶିକ୍ଷକଙ୍କୁ ମୋର ପୁରୁଣା ନାମ ପସନ୍ଦ ନଥିଲା। ତେଣୁ ମୋ ଭଲ ପାଇଁ ନାଁ ବଦଳାଇ ଦେଇଥିଲେ। ମୋର ନାଁ ଦୁରପଦୀଠୁ ନେଇ ଦୋର୍ପଦୀ ପର୍ଯ୍ୟନ୍ତ ଅନେକ ଥର ପରିବର୍ତ୍ତନ କରାଯାଇଛି।

ମୁର୍ମୁ କହିଛନ୍ତି, ସାନ୍ତାଳୀ ସଂସ୍କୃତିରେ ନାମ ପିଢି ପରେ ପିଢି ପରମ୍ପରା ଭାବେ ଜାରି ରହିଥାଏ। ଯଦି ଆମ ସଂପ୍ରଦାୟରେ ଝିଅଟିଏ ଜନ୍ମ ନିଏ ତେବେ ତାର ନାମ ଜେଜେମା ନାମରେ ନାମକରଣ କରାଯାଏ। ଯଦି ଶିଶୁ ପୁତ୍ରଟିଏ ଜନ୍ମ ହୁଏ ତେବେ ଜେଜେବାପାଙ୍କ ନାମରେ ରଖାଯାଏ। ଦ୍ରୌପଦୀଙ୍କ ସ୍କୁଲ ଏବଂ କଲେଜର ଉପନାମ ଟୁଡୁ ଥିଲା। ସେ ଜଣେ ବ୍ୟାଙ୍କ ଅଧିକାରୀ ଶ୍ୟାମଚରଣଙ୍କୁ ବିବାହ କରିବା ପରେ  ତାଙ୍କ ଉପ ନାମ ମୁର୍ମୁରେ ପରିଣତ ହୋଇଥିଲା।

ସୋମବାର ଦ୍ରୌପଦୀ ମୁର୍ମୁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ଭାରତର ପ୍ରଧାନ ବିଚାରପତି ଏନଭି ରମଣା ତାଙ୍କୁ ଶପଥ ପାଠ କରାଇଥିଲେ। ୬୪ ବର୍ଷୀୟ ମୁର୍ମୁ ଗୁରୁବାର ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ୬୪ ପ୍ରତିଶତରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସିହ୍ନାଙ୍କୁ ୩,୮୦,୧୭୭ ଭୋଟ୍ ମିଳିଥିବା ବେଳେ ମୁର୍ମୁଙ୍କୁ ୬,୭୬,୮୦୩ ଭୋଟ ମିଳିଥିଲା। ଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଥିବା ସେ ଦେଶର ପ୍ରଥମ ରାଷ୍ଟ୍ରପତି।

Spread the love