ଅଗଷ୍ଟ ୭ରୁ ୯ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩୦/୦୭: ବଙ୍ଗୋପ ସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ସିଇସି ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇପାରେ ।

ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଜାରି ରହିଥିବା ଶୁଖିଲା ପାଗ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରହିବାର ସୂଚନା ଥିବା ବେଳେ ଏହାପରେ କିଛି କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଅଗଷ୍ଟ ୩ ତାରିଖରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି । ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି ।

Spread the love