ଶାନ୍ତି, ସ୍ଥିରତା ଓ ସମୃଦ୍ଧିର ସ୍ରୋତ ପାଲଟିଛି ଭାରତ-ମାଳଦୀପ ସମ୍ପର୍କ: ମୋଦୀ

ଡେସ୍କ:  ଆଜି ନୂଆଦିଲ୍ଲୀରେ ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିଙ୍କ ସହ ଶ୍ରୀ ମୋଦୀ ଆଲୋଚନା କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ମାଳଦୀପ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଶିଖରରେ ପହଂଚିଛି ଓ ଏଥି ସହିତ ଉଭୟ ଦେଶ ଅଧିକ ନିକଟତର ହୋଇ ପାରିଛନ୍ତି।ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ମାଳଦୀପ ସମ୍ପର୍କ ଶାନ୍ତି, ସ୍ଥିରତା ଓ ସମୃଦ୍ଧିର ସ୍ରୋତ ପାଲଟିଛି।  ଏହି ଆଲୋଚନା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି। ଶ୍ରୀ ସୋଲି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।  ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ ମହାମାରୀ ସତ୍ୱେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି।ଆଜି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା କାଳରେ ଗ୍ରେଟର ମାଲେରେ ଭାରତ ପକ୍ଷରୁ କରାଯାଉଥିବା ସୋସିଆଲ ହାଉସିଂ ୟୁନିଟ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରାଯାଇଛି। ଭାରତ ଅଧିକ ୨ ହଜାର ସୋସିଆଲ ହାଉସିଂ ୟୁନିଟ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି। ସେଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଯେଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ତାହା ନିଶ୍ଚିତ କରିବା ପାଇଁ ଭାରତ ଅତିରିକ୍ତ ୧୦୦ ମିଲିଅନ ଡଲାର ଋଣ ଯୋଗାଇ ଦେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love