ଇଣ୍ଡିଆନ ମ୍ୟୁଜିୟମ ବାରାକ ଗୁଳିକାଣ୍ଡ ଘଟଣା : ଅଭିଯୁକ୍ତଙ୍କ ଘର ଢେଙ୍କାନାଳ

ଡେଙ୍କାନାଳ ୦୭/୦୮:  କୋଲକତା ସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ବାରକରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅକ୍ଷୟ ମିଶ୍ର ନାମକ ଜଣେ ସିଆଇଆଏସଏଫ ଯବାନ ତାଙ୍କ ଉପରିସ୍ଥ ଅଫିସର ଏଏସଆଇ ରଞ୍ଜିତ ସଢଙ୍ଗୀଙ୍କୁ ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳି ମାଡ଼  କରିଛନ୍ତି । ଏହି ଗୁଳିମାଡରେ ଓଡ଼ିଆ ଅଫିସର ରଞ୍ଜିତ ସଢଙ୍ଗୀଙ୍କର ମୃତ୍ୟୁ ଘଟିଥିବା ସହ ଅନ୍ୟଜଣେ ସାଥି ମଧ୍ୟ ଆହତ ହୋଇଛନ୍ତି । ତେବେ ଏହି ଗୁଳିକାଣ୍ଡ ଘଟାଇଥିବା ସିଆଇଏସଏଫର ଓଡ଼ିଆ ଯବାନ ତଥା ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ତୁମୁସିଂହା ଥାନା ମାଛିଆ ଗ୍ରାମରେ ବୋଲି ଜଣାପଡିଛି ।

ଅକ୍ଷୟ ଘରର ବଡ଼ ପୁଅ ଅଟନ୍ତି । ତାଙ୍କ ସାନ ଭାଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରୁଥିବାରୁ ପରିବାର ରାଉରକେଲାରେ ରୁହନ୍ତି । ତାଙ୍କ ବାପାଙ୍କ ଶୁଦ୍ଧ କ୍ରିୟା ପାଇଁ ଗତ ଏପ୍ରିଲ ୨୬ରେ ଅକ୍ଷୟ ଗ୍ରାମକୁ ଆସିଥିଲେ । ତେବେ ବାପାଙ୍କ ପରେ ତାଙ୍କ ଦାଦାଙ୍କ ଦେହାନ୍ତ ଯୋଗୁଁ ଗ୍ରାମରେ ପ୍ରାୟ ୨୦ରୁ ୨୫ଦିନ ରହି ପୁଣି କାର୍ଯ୍ୟସ୍ଥଳ କୋଲକତାକୁ ଫେରି ଯାଇଥିଲେ ବୋଲି ତାଙ୍କ ସମ୍ପର୍କୀୟ  ପ୍ରକାଶ କରିଛନ୍ତି ।

ତେବେ ବାପାଙ୍କ ଶୁଦ୍ଧକ୍ରିୟା ଜନିତ ଛୁଟି ଆବେଦନ କାରଣରୁ  ସେ ଗୁଳିମାଡ଼  କରିଥିବା କାରଣ ହୋଇନପାରେ ଓ ଗୁଳିମାଡ଼ ପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି।  ଅପରପକ୍ଷରେ ଅକ୍ଷୟ ଜଣେ ମିଷ୍ଟଭାଷୀ ଓ ଭଲ ପ୍ରକୃତିର ଲୋକ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଓ କାହିଁକି ଏପରି କାଣ୍ଡ ଘଟାଇଲେ ସେ ସମ୍ପର୍କରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Spread the love