ମୋଦିଙ୍କ ଗୁଣିଗାରେଡି ମନ୍ତବ୍ୟରେ ଆକ୍ରମକ ହେଲା କଂଗ୍ରେସ, ରମେଶ କହିଲେ ବିନା କାରଣରେ କରୁଛନ୍ତି ପ୍ରସଙ୍ଗ

ନୂଆଦିଲ୍ଲୀ ୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣିଗାରେଡି (କଳାଯାଦୁ) ବୟାନକୁ ନେଇ କଂଗ୍ରେସ ବୁଧବାର ପାଲଟା ଜବାବ ଦେଇଛି। ସାରା ଦେଶ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶୁଣନ୍ତୁ ବୋଲି ଚାହାନ୍ତି। ହେଲେ ଜୁମଲାଜୀବୀ ଯାହାଇଛା ତାହା କହୁଛନ୍ତି ବୋଲି କଂଗ୍ରେସ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରେ ୨ଜି-ଏଥନଲ ପ୍ଲାଣ୍ଟର ଉଦଘାଟନ କରି ବିପକ୍ଷକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଦେଶ ଯେତେବେଳେ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ସେତେବେଳେ ନିରାଶା ନକରାତ୍ମକତାର ଶିକାର କିଛି ଲୋକେ ଗୁଣିଗାରେଡିର ଆଶ୍ରୟ ନେଇଛନ୍ତି ।

ଆମେ ଅଗଷ୍ଟ ୫ ତାରିଖରେ ଦେଖିଥିଲୁ କିଛି ଲୋକେ ଯନ୍ତ୍ରମନ୍ତ୍ର ବ୍ୟାପ୍ତ କରିବାକୁ ଉଦ୍ୟମ କରିଥିଲେ। ସେମାନେ ଏପରି କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି। ତେବେ ଏପରି ଗୁଣି ଗାରେଡି କିଛି କାମରେ ଆସିବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ସେମାନଙ୍କୁ ଅନୁରୋଧ ଏପରି ଟୁଣକାଟୁଣକି କରି ଆଜାଦିର ଅମୃତ ମହୋତ୍ସବକୁ ଆପମାନିତ ନ କରନ୍ତୁ। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଗତ ଅଗଷ୍ଟ ୫ ତାରିଖ ଦିନ ସଂସଦ ଭବନ ବାହାରେ କଳା ପୋଷାକ ପିନ୍ଧି ସରକାରଙ୍କ ପ୍ରତିବାଦ କରିଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କଳାପୋଷାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସେୟାର କରି ବିନା କାରଣରେ କଳା ପୋଷାକକୁ ପ୍ରସଙ୍ଗ କରୁଥିବା ଉଲ୍ଲେଖ କରିଛନ୍ତି। ରମେଶ କହିଛନ୍ତି ଯେ ବିଦେଶରୁ କଳା ଧନ ଆଣିବାକୁ ତ ସରକାର କିଛି କରିପାରିଲେନି ଏବେ କଳା ପୋଷାକକୁ ନେଇ ବିନା କାରଣରେ ପ୍ରସଙ୍ଗ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଦେଶ ଯେତେବେଳେ ଚାହୁଁଛି ପ୍ରଧାନମନ୍ତ୍ରୀ ଆମ ସମସ୍ୟା ବୁଝନ୍ତୁ ଜୁମଲାଜୀବୀ ସେତେବେଳେ ଯାହା ଇଛା ତାହା କହୁଛନ୍ତି ।

Spread the love