କ୍ଷୀର ଗାଡ଼ି ଧକ୍କାରେ ଦୁଇଜଣ ସାପୁଆ ନଦୀରେ ଖସିପଡ଼ି ନିଖୋଜ

ଆଠଗଡ,୧୨/୦୮: ୬୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା । ଆଠଗଡ ଥାନା ଅନ୍ତର୍ଗତ ସାପୁଆନଦୀ ବ୍ରିଜ ଉପରେ ଏକ କ୍ଷୀର ଗାଡି ଭାରସାମ୍ୟ ହରାଇ ଲଗାତାର ଦୁଇଟି ସିରିଜ୍ ଦୁର୍ଘଟଣା ଘଟାଇଛି ।ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସାପୁଆନଦୀକୁ ଖସିପଡି ନିଖୋଜ ହୋଇଯାଇଥିବା ଜଣାପଡିଛି । ଆଠଗଡ ପଟୁ ଖୁଣ୍ଟୁଣୀ ଆଡେ ଯାଉଥିବା କ୍ଷୀର ଗାଡିଟି ପ୍ରଥମେ ଜଣେ ଏକ୍ସଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଅହାତ ଜଣଙ୍କ ଆଠଗଡ ଥାନା ଆଶ୍ବରା ଗ୍ରାମର ସୁନୀଲ କୁମାର ଦାସ(୨୮) ବୋଲି ଜଣାପଡ଼ିଛି ।

ପରେ କ୍ଷୀର ଗାଡିଟି ଭାରସାମ୍ୟ ହରାଇ ଆଠଗଡ ଆଡକୁ ଆସୁଥିବା ଗୋବରା ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ ପିବିତ୍ର ମୋହନ ରାଉଳ ଏବଂ ତାଙ୍କ ସହ ଆସୁଥିବା ଅନ୍ୟଜଣେ ବ୍ୟକ୍ତି (ଯାହାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ)ଙ୍କୁ  ଧକ୍କା ଦେବା ଫଳରେ ଉଭୟ ସାପୁଆନଦୀକୁ ଛିଟିକି ପଡିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଲଗାଣ ବର୍ଷା ଫଳରେ ସାପୁଆନଦୀରେ ପାଣି ଆସିଥିବାରୁ ଉଭୟ ସେଥିରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଆଠଗଡ ପୋଲିସ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କର କୌଣସି ପତ୍ତା ମିଳିନାହିଁ ।

Spread the love