ଅଗଷ୍ଟ ୩୦ ଯାଏଁ ହେଲମେଟ ଚେକିଂ କଡ଼ାକଡ଼ି, ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ

ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି। ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇ ଥିବା ବେଳେ ୨୦୭୩ ଟି ଇ ଚାଲାଣ ଓ ୭୭ଟି ମୋଟର ସାଇକେଲ ଜବତ କରାଯାଇଛି। ସାରା ରାଜ୍ୟରେ ଚାଲିଛି ହେଲମେଟ ଚେକିଂ କଡାକଡି ହୋଇଥିବା ବେଳେ ଅଗଷ୍ଟ ୩୦ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ। ବିନା ହେଲମେଟରେ ଯାଉଥିବା ବାଇକ ଚାଳକଙ୍କ ସହ ପଛରେ ବିନା ହେଲମେଟରେ ବସୁଥିବା ଲୋକଙ୍କ ପାଇଁ ଏହି ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି।

୨୦୨୧ ମସିହାରେ ରାଜ୍ୟରେ ଦୁଇ ଚକିଆ ଯାନରେ ଦୁର୍ଘଟଣା ଘଟି ୮୬୮ ଚାଳକ ଓ ୪୪୦ ବସିଥିବା ବ୍ୟକ୍ତି ମୋଟ ୧୩୦୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିଲେ। ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ। ଓଡ଼ିଶାରେ ବିଶେଷ ଭାବେ ବସିଥିବା ଲୋକ ହେଲମେଟ ପିନ୍ଧୁ ନ ଥିବାର ଦେଖିବାକୁ ମିଳିଛି। ଏହି ସ୍ୱତନ୍ତ୍ର ଡ୍ରାଇଭରେ ଏଭଳି ଯାତ୍ରୀଙ୍କ ସମେତ ତିନି ଜଣିଆ ଯାତ୍ରୀ ଓ ନାବାଳକ ଡ୍ରାଇଭରଙ୍କୁ ଦଣ୍ଡିତ କରାଯିବାର ଯୋଜନା ରହିଛି। ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ବିନା ହେଲମେଟରେ ଗାଡି ଚଳାଇଲେ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି। ଯଦି ବସିଥିବା ଲୋକ ହେଲମେଟ ପିନ୍ଧି ନାହାନ୍ତି ତେବେ ଡ୍ରାଇଭରଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ହେବା ସହିତ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି ବୋଲି ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Spread the love