ବାବୁମାନେ ବୁଝନ୍ତୁ ସମୟର ମୂଲ୍ୟ, ଫାଇଲ୍ ଉପରେ ବସିପଡିଲେ ହେବନି’ -ଗଡକରୀ

ନୂଆଦିଲ୍ଲୀ, ୨୫|୦୮: ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବା ସରକାରୀ ବାବୁମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ତାଗିଦ୍‌ କରିଛନ୍ତି । କହିଛନ୍ତି, ବାବୁମାନେ ସମୟର ମୂଲ୍ୟ ବୁଝିବା ଦରକାର । ଫାଇଲ୍‌ ଉପରେ ଅଯଥା ବସିପଡ଼ିଲେ ଚଳିବ ନାହିଁ ।

ପୂର୍ବତନ ରାଷ୍ଟ୍ରଦୂତ ଧ୍ୟାନେଶ୍ୱର ମୁଲୟଙ୍କର ଏକ ପୁସ୍ତକ ଉନ୍ମୋଚନ ଅବସରରେ ଗଡ଼କରୀ କହିଛନ୍ତି, ଅମଲାତନ୍ତ୍ରୀମାନେ ଜନତାଙ୍କ ସହ ଜଡ଼ିତ ନିଷ୍ପତ୍ତି ନେବା ପାଇଁ ସେମାନଙ୍କ ପ୍ରାଶାସନିକ ଦକ୍ଷତା ବ୍ୟବହାର କରିବା ଆବଶ୍ୟକ । ଗରିବରୁ ଅତି ଗରିବ ଲୋକମାନେ ଯେମିତି ସେମାନଙ୍କ ସୁବିଧା ପାଆନ୍ତି, ତାହା ପ୍ରତି ବାବୁମାନେ ଧ୍ୟାନ ଦେବା ଜରୁରି । କୌଣସି ଫାଇଲ୍‌କୁ ମଞ୍ଜୁରି ଦେବା ହେଉ କିମ୍ବା ଖାରଜ କରିବା ହେଉ, ତୁରନ୍ତ ନିଷ୍ପତ୍ତି ନିଆଯିବା ଦରକାର ।

ଗଡ଼କରୀ ଆହୁରି କହିଛନ୍ତି, ଯେଉଁ କ୍ଷେତ୍ରରେ ଅତି ଗରିବଙ୍କୁ ଫାଇଦା ଓ ନ୍ୟାୟ ଦେବା ପାଇଁ ‘ଏକ ନିୟମ ଭାଙ୍ଗିବାକୁ ହୁଏ’ ତାହା କରିବାରେ କିଛି ଭୁଲ ନାହିଁ । ଆଇନର ପ୍ରକୃତ ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ । କେବଳ ଲେଖାଯାଇଥିବା ଅକ୍ଷରକୁ ଦେଖି ସବୁବେଳେ କାମ କଲେ ଚଳିବ ନାହିଁ ।

Spread the love