ଟ୍ଵିନ୍‌ ଟାୱାର ଧ୍ବଂସ ପରେ ସ୍ୱାସ୍ଥ୍ୟ ସତର୍କତା

ନୋଏଡ଼ା: ନୋଏଡ଼ା ସେକ୍ଟର-୯୩ଏର ସୁଉଚ୍ଚ ସୁପରଟେକ୍‌ ଟ୍ବିନ୍‌ ଟାୱାରକୁ ଗତକାଲି ଧ୍ବଂସ କରିବାର କିଛି ସମୟ ପରେ ସ୍ୱାସ୍ଥ୍ୟ ସତର୍କତା ଜାରି କରାଯାଇଛି। ସେହି ଟାୱାର ଠାରୁ ୪କିମି ଦୂରତାରେ ଥିବା ସେକ୍ଟର ୯୩ଏ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତର ଓ ନର୍ସ ପ୍ରସ୍ତୁତ ଥିବା କର୍ତୃପକ୍ଷ କହିଛନ୍ତି। ସେହିପରି ନଏଡା ସ୍ଥିତ ଫେଂଲିକ୍ସ ହସ୍ପିଟାଲରେ ମଧ୍ୟ ୫୦ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ଜଣାପଡିଛି।ଜାରି କରାଯାଇଥିବା ସ୍ୱାସ୍ଥ୍ୟ ସତର୍କତା ଅନୁଯାୟୀ, ଧ୍ବଂସ ହୋଇଥିବା ଟାୱାର ପାଖାପାଖି ଅଂଚଳର ଅଧିବାସୀମାନଙ୍କୁ ଘରର କବାଟ ଓ ଝରକା ବନ୍ଦ ରଖିବା ସହ ଏୟାର ପ୍ୟୁରିଫାୟାର କରିବାକୁ ପରାମର୍ଶ ଦିଆଯାଇଛି। ଏଥି ସହ ଏନ-୯୫ ମାସ୍କ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ୩୨ ଓ ୩୦ ମହଲା ବିଶିଷ୍ଟ ଦୁଇ ଟାୱାରକୁ ଧ୍ବଂସ କରିବା ପାଇଁ ୩,୭୦୦ କିଲୋ ବିସ୍ଫୋରକ ବ୍ୟବହୃତ ହୋଇଛି। ୱାଟରଫଲ୍‌ ଇମ୍‌ପ୍ଲୋଜନ କୋଲାପ୍ସ ମେକାନିଜିମ୍‌ ସାହାଯ୍ୟରେ ଏହାକୁ ଭଙ୍ଗାଯାଇଛି। ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ଥିଲା ୯୭ ମିଟର। ଦୁଇ ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୭୦ କୋଟି ଟଙ୍କା ହୋଇଥିବା ବେଳେ ଏହାକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।ଏହି ସୁଉଚ୍ଚ ଅଟ୍ଟାଳିକା ଭାଙ୍ଗିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାରୁ ସମ୍ଭାବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦିର ବ୍ୟବସ୍ଥା କରାଯାଇଛି।

Spread the love