କାଉନ୍‌ସେଲିଂ ପାଇଁ ଆସିଥିବା ଦମ୍ପତ୍ତି ହେଲେ ପିଟାପିଟି

ବାଲେଶ୍ୱର ୨୯।୦୮: ବାଲେଶ୍ବର ଫ୍ୟାମିଲି କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର। କାଉନ୍‌ସେଲିଂ ପାଇଁ ଆସିଥିବା ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଲାଗିଗଲା ଝଗଡ଼ା । ପ୍ରଥମେ ଟଣାଓଟରା ଆଉ ପରେ ମାରପିଟ । ବିବାଦ ଏତେ ବଢି ଗଲା ଯେ ଶେଷରେ ଓକିଲଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଖବର ଅନୁଯାୟୀ, ବାଲେଶ୍ବର ଭୋଗରାଇ ବ୍ଳକ ଦେହୁରଦା ଗାଁର ଡ଼. ସିଦ୍ଧାର୍ଥ ସ୍ୱରୂପ ଜେନା ୨୦୧୫ ମସିହାରେ ବାଲେଶ୍ବର ସହଦେଵଖୁଣ୍ଟା ଅଞ୍ଚଳରେ ଲୁତୁଶ୍ରୀଙ୍କୁ ବିବାହ କରିଥିଲେ।

ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ସୃଷ୍ଟି ହେଲା। ପରେ ୨୦୧୮ ମସିହାରେ  କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ସୋମବାର ଅଦାଲତରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକାଯାଇଥିଲା। ଫଳରେ ଉଭୟେ ବାଲେଶ୍ବର ଫ୍ୟାମିଲି କୋର୍ଟକୁ କାଉନସେଲିଂ ପାଇଁ ଆସିଥିଲେ। ଉଭୟ କୋର୍ଟରେ ଦେଖା ହେବା ପରେ ଉଭୟ ମଧ୍ୟରେ କଥା କଟାକାଟି ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ତାହା ପରେ ଏହି ଯୁକ୍ତିତର୍କ ଧୀରେ ଧୀରେ ବଢ଼ିବାରେ ଲାଗିଲା । ଯାହା ଫଳରେ କି କୋର୍ଟ ମଧ୍ୟରେ ମାରପିଟ୍‌ ଲାଗି ଯାଇଥିଲା। ପରେ କୋର୍ଟ ପରିସର ରଣକ୍ଷେତ୍ରରେ ପାଲଟି ଯାଇଥିଲା। ଶେଷରେ ଓକିଲମନେ ହସ୍ତକ୍ଷେପ କରିବାରୁ ସେମାନେ କୋର୍ଟ ପରିସର ଛାଡି ପଳାଇ ଯାଇଥିଲେ।

Spread the love