ୟୁଏସ ଓପନରେ ଯୁଦ୍ଧ ଇଫେକ୍ଟ : ବେଲାଋଷର ଭିକ୍ଟୋରିଆଙ୍କୁ ହ୍ୟାଣ୍ଡସେକ୍ କଲେନି ୟୁକ୍ରେନର ମାର୍‌ତା

ନ୍ୟୁୟର୍କ ୦୨/୦୯:  ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ହାତ ମିଳାଇଲେନି ୟୁକ୍ରେନ ଖେଳାଳି । ୟୁଏସ ଓପନର ଏକ ମୁକାବିଲାରେ ୟୁକ୍ରେନ ଖେଳାଳି ମାରତା କୋସ୍ତିୟୁକ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କ ସହ ହାତ ମିଳାଇବାକୁ ମନା କରିଦେଇଛନ୍ତି । ମହିଳା ସିଙ୍ଗଲ ଟେନିସ୍ ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ମୁକାବିଲାରେ ଆଜାରେଙ୍କା କୋସ୍ତିୟୁକଙ୍କୁ ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଏହାପରେ ହାତ ମିଳାଇବାକୁ କୋସ୍ତିୟୁକଙ୍କ ପାଖକୁ ଆସିଥିଲେ । କୋସ୍ତିୟୁକ ଅମ୍ପାୟାରଙ୍କ ସମେତ ଅ୍ୟମାନଙ୍କ ସହ ହାତ ମିଳାଇଥିଲେ । କିନ୍ତୁ ଭିକ୍ଟୋରିଆଙ୍କ ସହ ହାତ ମିଶାଇନଥିଲେ ।

ଏଥିରୁ ଜଣାପଡୁଛି ଯେ, ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଟେନିସ୍ କୋର୍ଟରେ ପଡିଛି । ବେଲାଋଷ ୟୁକ୍ରେନ ବିରୋଧରେ ଋଷକୁ ସହାୟତା କରିଥିଲା । ଏପରିକି ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟ କରିଥିଲା । ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଏହି ୟୁକ୍ରେନ ମହିଳା ଖେଳାଳି ଟେନିସ କୋର୍ଟରେ ଋଷ ଓ ବେଲାଋଷ ଖେଳାଳିଙ୍କ ପ୍ରତି ଏପରି ଆଭିମୁଖ୍ୟ ଦେଖାଇଛନ୍ତି ।

ଏହାପୂର୍ବରୁ ଗତ ଏପ୍ରିଲରେ ୨୦ ବର୍ଷୀୟା କୋସ୍ତିୟୁକ ବେଲାଋଷ ଓ ଋଷ ଖେଳାଳି ଯୁଦ୍ଧ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ । ଏହାସହ ଉଭୟ ଦେଶର ଖେଳାଳିଙ୍କ ଉପରେ କଟକଣା ଲଗାଇବାକୁ ମଧ୍ୟ ଦାବି କରିଥିଲେ । ଏହାସହ ସେ ଲଗାତର ଭାବେ ଋଷର ଆକ୍ରମଣକୁ ନିନ୍ଦା କରି ଆସୁଛନ୍ତି । ସେ ଓ୍ୱିମ୍ବଲଡନରେ ମଧ୍ୟ ଦୁଇ ଦେଶର ଖେଳାଳିଙ୍କ ଉପରେ ବ୍ୟାନ୍ ଲଗାଇବାକୁ ଅନୁରୋଧ କରିଥିଲେ ।

ତେବେ ୟୁଏସ ଓପନରେ ସେ ଭିକ୍ଟୋରିଆଙ୍କ ସହ ହାତ ନମିଶାଇବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଜଣେ ହେଲେ ଋଷ କିମ୍ବା ବେଲାରୁଷର ଟେନିସ ଖେଳାଳି ନିଜ ସରକାର ବିରୋଧରେ ଠିଆ ହୋଇନାହାଁନ୍ତି । ଯୁଦ୍ଧ ପାଇଁ ନିନ୍ଦା କରି ନାହାଁନ୍ତି । ଏହା ତାଙ୍କର ନିଜସ୍ୱ ଅଧିକାର ସେ କାହା ସହ ହାତ ମିଶାଇବେ ଓ ନାହିଁ । ଏହାସହ ତାଙ୍କୁ ଭୁଲ ନବୁଝାଯାଉ । ଭିକ୍ଟୋରିଆ ଭଳ ଖେଳାଳି କିନ୍ତୁ ସେ ଯୁଦ୍ଧ ପ୍ରସଙ୍ଗରେ ଚୁପ୍ ଅଛନ୍ତି ।

ସେହିପରି ଭିକ୍ଟୋରିଆ କହିଛନ୍ତି ଯେ, ସେ ୟୁକ୍ରେନବାସୀଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ଯଦି କୋସ୍ତିୟୁକ ତାଙ୍କ ସହ କଥା ହେବାକୁ ଚାହାନ୍ତି ସେ ଆଦୌ ଆପତ୍ତି କରିବେ ନାହିଁ । ଏହାସହ ବର୍ତ୍ତମାନ ବିଶ୍ୱରେ ବିଶ୍ୱାସ ଓ ସହାନୁଭୂତିର ଆବଶ୍ୟକତା ଥିବା ସେ ପ୍ରକାଶ କରିଛନ୍ତି ।

Spread the love