ରାଜ୍ୟ ସରକାର ଜାଣି ଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି: ବିଜେପି

ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢୁଥିବା ବେଳେ ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବୟାନ ଦେବାରେ ସୀମିତ ଅଛନ୍ତି । କିଭଳି ସାଧାରଣ ଖାଉଟିକୁ ଶସ୍ତାରେ ପିଆଜ ମିଳିବ ସେଥିପାଇଁ ଆଦୌ ଯତ୍ନବାନ ନାହାନ୍ତି । କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟ ମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥଲାବେଳେ ରାଜ୍ୟ ସରକାର ଏହାର ଲାଭ ନେଉନାହାନ୍ତି । ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି ଆସିଲା ପରେ ପିଆଜ କେନ୍ଦ୍ର ସରକାରଙ୍କ ପାଖରୁ ଶସ୍ତାରେ ଦିଆଯାଉଥିବା ପିଆଜ ଅଣାଯିବ ବୋଲି କହୁଛନ୍ତି । ଏପରି ସ୍ଥିତିରେ ଓଡିଶାରେ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ଏପରି ପରିସ୍ଥିତିରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୟାନ କଳାବଜାରିଙ୍କୁ ପ୍ରୋସ୍ତ୍ରାହନ ଦେବା ଭଳି । ଆସନ୍ତା ଦିପାବଳି ପର୍ଯ୍ୟନ୍ତ ଦର ଉଚ୍ଚା ରହିବ ବୋଲି ମନ୍ତ୍ରୀ ନିଜେ କହିବା ସିଧାସଳଖ ଭାବେ ଅସାଧୁ ବେପାରି ଓ କଳାବଜାରି କରି ଷ୍ଟକ ରଖୁଥିବା ବେପାରୀ ମାନଙ୍କୁ ସୁହାଇଛି ବୋଲି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲ ଅଭିଯୋଗ କରିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନୁଦାନରେ ଏକ ପ୍ରାଇସ ଷ୍ଟାବିଲିଟ ଫଣ୍ଡ ଅଛି ଯାହାର ଲାଭ ସମସ୍ତ ରାଜ୍ୟ ନେଇପାରିବେ । ହେଲେ ରାଜ୍ୟ ସରକାର ଏବେ ସୁଦ୍ଧା ସେହି ଫଣ୍ଡର ଲାଭ ନେଉନାହାନ୍ତି । ସେହି ଫଣ୍ଡରୁ ରାଜ୍ୟ ସରକାର ନିଜେ ପିଆଜ କିଣି ଶସ୍ତାରେ ଯୋଗାଇ ପାରନ୍ତେ । ହେଲେ ରାଜ୍ୟ ସରକାର ତାହା କରୁନାହାନ୍ତି ।

ସେହିପରି କେନ୍ଦ୍ର ସରକାର ଯେବେଠୁ ଘୋଷଣା କଲେଣି ସମସ୍ତ ରାଜ୍ୟକୁ ପିଆଜ ଦେବେ ବୋଲି ଯଦି ଓଡିଶା ସରକାର ସେବେଠାରୁ କେନ୍ଦ୍ରକୁ ମାଗି ଥାଆନ୍ତେ ତାହେଲେ ଏବେ ଓଡିଶାରେ ପିଆଜ ଦର ନିୟନ୍ତ୍ରଣରେ ଥାଆନ୍ତା ।

Spread the love