ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପାଳିଲେ ଗୁରୁ ଦିବସ

ସେପ୍ଟେମ୍ବର, ୫କୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ତିଥିରେ ପାଳିତ ହୁଏ ଗୁରୁ ଦିବସ। ଆଜି ଭଳି ପବିତ୍ର ଦିନକୁ ପୂର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ସବୁଠି ଗୁରୁ ପୂଜନ ପରମ୍ପରାକୁ ପାଳନ କରାଯାଉଛି। ‘ଗୁରୁ’ ଏମିତି ଏକ ଶଦ୍ଦ। ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା। ଖରାପ ରାସ୍ତାରୁ ପଥ କଢାଇବା ସହ ଆକଟ ଭରା କଠୋର ଶାସନ ମଧ୍ୟ କରନ୍ତି। ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ପ୍ରମୁଖ ଭୂମିକା ରହିଛି। ମାଆ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି। ଅନୁଶାସନ ଭିତରେ ରହିବାକୁ ଆମକୁ ଶିକ୍ଷା ଦିଅନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗୁରୁ ଦିବସକୁ ଆଡମ୍ବର ସହକାରେ ପାଳନ କରିଛନ୍ତି । ଆଜିର ଏହି ପବିତ୍ର ଦିନରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳର ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ପରମ୍ପରାକୁ ବଜାୟ ରଖିବାକୁ ଅଧ୍ୟାପକ ଓ ଅଧ୍ଯାପିକା ମାନଙ୍କ ନିକଟକୁ ଯାଇ ପାରମ୍ପରିକ ଭବେ ସିନ୍ଦୂର ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଉ ଏହି ଅବସରରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ଯାପିକା ଛାତ୍ରଛାତ୍ରୀଙ୍କ ସୁନ୍ଦର ଓ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି ।

ଗୁରୁ ହିଁ ସଦା ସର୍ବଦା ସମାଜର ତ‌ଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ତେବେ ଏହାକୁ ଲକ୍ଷ ରଖି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଯେ ସବୁ କ୍ଷେତ୍ରରେ ଗୁରୁଙ୍କୁ ସମ୍ମାନ ଦେବା ସମସ୍ତ ଛାତ୍ରଛାତ୍ରଙ୍କ କର୍ତ୍ତବ୍ୟ । ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ସହିତ ସମାଜର ମଙ୍ଗଳ ପାଇଁ ପ୍ରୟୋଗ କରିବେ । ଏହା ମଧ୍ୟ କହିଛନ୍ତି ଯେ ଆଜି ଆମ ପରି ଶିଷ୍ୟକୁ ସମସ୍ତ ବିଦ୍ୟାରେ ପାରଙ୍ଗମ କରାଇବାରେ ତାଙ୍କ ଜୀବନର ପ୍ରମୁଖ ଅଙ୍ଗ ସାଜିଛନ୍ତି ଗୁରୁ। ତାଙ୍କର ଉତ୍ସାହପ୍ରଦ ପ୍ରେରଣା ଆଜି ଆମକୁ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାହସ ଯୋଗାଇଛି ।

Spread the love