ସୋମବାର ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂ, ବିଜେପିରେ ପିଏଲସିର ହେବ ବିଲୟ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ବିଜେପିରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କ୍ୟାପ୍ଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବା ସ୍ପଷ୍ଟ ହୋଇଛି । ଆସନ୍ତା ସେପ୍ଟେମ୍ୱର ୧୯ରେ ଦିଲ୍ଲୀରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ମୁଖପାତ୍ର ପ୍ରୀତପାଲ କହିଛନ୍ତି, ସେପ୍ଟେମ୍ୱର ୧୯ ସୋମବାର ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ବିଲୟ ହେବ । ୮୦ ବର୍ଷୀୟ କ୍ୟାପ୍ଟେନ ଅମରିନ୍ଦର ସିଂ ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ ପିଏଲସି ଗଠନ କରିଥିଲେ। ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ କହିଛନ୍ତି, ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ । ସେ କହିଛନ୍ତି, ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେବେ ।

ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଗତ ସେପ୍ଟେମ୍ୱର ୧୨ରେ ଶାହଙ୍କ ସହ ବୈଠକ କରି ରାଜ୍ୟର ସୁରକ୍ଷା ଏବଂ ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ଥକ ଆଲୋଚନା ହୋଇଥିବା ପ୍ୟାପ୍ଟେନ ଅମରିନ୍ଦର ସିଂ କହିଥିଲେ।

Spread the love