ସିନେମା ଘରେ ହେବ ମହାରାଣୀ ଏଲିଜାବେଥଙ୍କ ଅନ୍ତୋଷ୍ଟି କ୍ରିୟାର ସିଧା ପ୍ରସାରଣ, ସାରା ବ୍ରିଟେନ ରହିବ ନିରବ

ନୂଆଦିଲ୍ଲୀ: ଲଣ୍ଡନର ୱେଷ୍ଟମିନିଷ୍ଟରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସୋମବାର ସକାଳେ ରାଜକୀୟ ଅନ୍ତୋଷ୍ଟି କରାଯିବ । ରାଜକୀୟ ଅନ୍ତୋଷ୍ଟି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ବ୍ରିଟେନର ବିଭିନ୍ନ ପାର୍କରେ ବିଶାଳ ସ୍କ୍ରିନ ଲଗାଯିବ । ଏହାସହ ସିନେମା ଘର ଗୁଡିକରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ପ୍ରସ୍ତୁତି କରାଯାଉଛି । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସେପ୍ଟେମ୍ୱର ୮ରେ ସ୍କଟଲ୍ୟାଣ୍ଡର ବାଲମରୋଲ କ୍ୟାସଲରେ ୯୬ ବର୍ଷରେ ପରଲୋକ ହୋଇଥିଲା । ମହାରାଣୀଙ୍କ ପାର୍ଥିବ ଶରୀର ୱେଷ୍ଟମିନିଷ୍ଟର ହଲରେ ରଖାଯାଇଛି । ଏବଂ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସୋମବାର ସକାଳେ ୱେଷ୍ଟମିନିଷ୍ଟର ଏବେ ଆୟୋଜନ କରାଯିବ।

ଗତ ୫୭ ବର୍ଷରେ ବ୍ରିଟେନର ପ୍ରଥମ ରାଜକୀୟ ଅନ୍ତିମ ସଂସ୍କାର ଏକ ସ୍ୱତନ୍ତ୍ର ପ୍ରୋଟୋକଲ ଏବଂ ସୈନ୍ୟ ପରମ୍ପରା ଅନୁସାରେ ହେବ । ଏଥିପାଇଁ ବହୁ ଦିନରୁ ଅଭ୍ୟାସ କରାଯାଉଛି । ସଂସ୍କୃତି, ମିଡିଆ ଏବଂ ଖେଳ ବିଭାଗ କହିଛି ସୋମବାର ବ୍ରିଟେନରେ ସର୍ବାଜନୀନ ଅବକାଶର ଘୋଷଣା କରାଯାଇଛି । ଅନ୍ତୋଷ୍ଟି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଭିଡକୁ ନଜର ରଖି ଲଣ୍ଡନର ଅନେକ ସ୍ଥାନକୁ ଚିହ୍ନଟ କରାଯାଇଛି।

ଦିବଗନ୍ତ ମହାରାଣୀଙ୍କ ପ୍ରତି ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ପ୍ରଦର୍ଶନ କରିବା ପାଇଁ ରବିବାର ରାତି ଆଠଟାରୁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ଗୋଟିଏ ମିନିଟ ପାଇଁ ନିରବ ରହିବେ । ଅନ୍ୟପଟେ ସାରା ବ୍ରିଟେନର ସବୁ ସିନେମା ଘରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମର ପ୍ରଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି ।

ମଧ୍ୟାହ୍ଣ ୧୨.୧୫ ମିନିଟରୁ ମହାରାଣୀଙ୍କ ଶେଷ ଯାତ୍ରା ଆରମ୍ଭ ହେବ । ଦିବଗନ୍ତ ମହାରାଣୀଙ୍କ କଫିନ ୱେଷ୍ଟମିନିଷ୍ଟର ଏବେ ରୁ ଲଣ୍ଡନର ୱିଲିଂଟନ ଆର୍ଚ ନିଆଯିବ ଏବଂ ସେଠାରୁ ୱିଣ୍ଡସର ପାଇଁ ଯାତ୍ରା ଆରମ୍ଭ ହେବ । ସୋମବାର ସଂଧ୍ୟାରେ ଏକ ରାଜକୀୟ ପ୍ରକ୍ରିୟାରେ ମହାରାଣୀଙ୍କୁ କିଙ୍ଗ ଜର୍ଜ ଷଷ୍ଠ ମେମୋରିୟଲ ଚାପେଲରେ ତାଙ୍କ ଦିବଗନ୍ତ ସ୍ୱାମୀ ଫିଲିପ୍ସଙ୍କ ସମକକ୍ଷରେ ପୋତାଯିବ । ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ସାରା ଦୁନିଆର ରାଜ ପରିବାର ସଦସ୍ୟଙ୍କ ସହ ବିଶ୍ୱର ପ୍ରାୟ ୫୦୦ ନେତା ସାମିଲ ହେବେ।

Spread the love