ଗାନ୍ଧୀ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ହେବ ଗାନ୍ଧୀଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର :ବିଜେପି

୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରାଯାଇଛି । ଆଜି ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରି କୋଟା ସାହି, ବଢେଇ ସାହି, ନାଛିପୁର, କାଜିପୁର, ଅମାନିଆ ଗୋରଡା, ସଇଁଡା ଦେଇ ବାଲିସାହିରେ ପହଂଚିଥିଲେ । ସେଠାରେ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଭାରତକୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପ୍ରଭାବରୁ ମୁକ୍ତ କରିବା ତଥା ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡା ବ୍ୟାଗ୍ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତାର ପ୍ରଚାର ସହ ଡିଜିଟାଲ ପ୍ଲାଟ୍ଫର୍ମକୁ ଲୋକପ୍ରିୟ କରିବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ପାଖକୁ ଯିବା ପାଇଁ ଶପଥ ପାଠ କରାଇବା ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଜନସାଧାରଣଙ୍କ ସହିତ ଭାଗୀଦାର ହୋଇ ଦେଶର ବିକାଶ ଓ ଗରିବ କଲ୍ୟାଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିବର୍ତନ କରିବା ପାଇଁ ଆହ୍ୱାନ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାତ୍ମା ଗାନ୍ଧିଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ନୈତିକତାଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତା ଏବେ ମଧ୍ୟ ମହତ୍ୱ ରଖିଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ମହାତ୍ମା ଗାନ୍ଧୀ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ଗାନ୍ଧୀଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର ହେବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାର ଅନନ୍ୟ ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ମହାତ୍ମାଗାନ୍ଧୀ, ଆମର ପ୍ରିୟ ବାପୁ । ଅହିଂସା ନୀତିରେ ଥିଲା ତାଙ୍କର ଅଖଣ୍ଡ ବିଶ୍ୱାସ । ଏହା କେବଳ ଆମର ଅସ୍ତିତ୍ୱର ଆଧାର ନୁହେଁ, ବରଂ ମାନବ ସମାଜ ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନିର୍ବାଯ୍ୟ ଆବଶ୍ୟକତା । ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତି ପାଖରେ ସମସ୍ତ ଯୋଜନାର ଲାଭ ପହଁଚାଇବା ଥିଲା ବାପୁଙ୍କ ବିଚାରର ଅନ୍ୟତମ ମୂଳମନ୍ତ୍ର । କେନ୍ଦ୍ରରେ ହେଉ ବା ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ । ଗାନ୍ଧୀ ବିଚାରର ଲକ୍ଷ୍ୟ- ସର୍ବୋଦୟ । ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା’ ଘରେ ଉଜ୍ଜ୍ୱଳା ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ତା ଆଖିର ଲୁହ ପୋଛିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ଅଥବା ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦରିଦ୍ର, ବଂଚିତ, ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟସେବା ହେଉ, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ।ବାପୁଙ୍କ ସ୍ୱାବଲମ୍ବନଶୀଳତାର ସୂରୂପ ହେଉଛି ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ । ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦିଙ୍କ ମନ୍ତ୍ର- ସବ୍କା ସାଥ୍- ସବ୍କା ବିକାଶ- ସବ୍କା ବିଶ୍ୱାସ । ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବଭାରତ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହିପଦଯାତ୍ରା ଅକ୍ଟୋବର୨ ରୁ ୩୦ ତାରିଖ ଦିନ ଧରି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଚାଲିବ । ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ । ବାଲିସାହିସ୍ଥିତ ସାଧାରଣ ସଭାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ରମାରଂଜନ ବଳିଆରସିଂହ, ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସଂପାଦକ(ସଙ୍ଗଠନ ) ମାନସ ମହାନ୍ତି, ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲା ଗାନ୍ଧୀମୂର୍ତୀ ପାରିଜାତ ପାର୍କରେ ସାଂସଦ ଜୁଏଲ ଓରାମ, ପାଟଣାଗଡଠାରେ ପୂର୍ବତନମନ୍ତ୍ରୀ କେ.ଭି ସିଂହଦେଓ, ଝାରସୁଗୁଡା ଠାରେ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କେନ୍ଦ୍ରାପଡାଠାରେ ପୂର୍ବତନ ଆସ୍କା ଠାରେ ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀଙ୍କ ନେତୃତ୍ୱରେ ପଦଯାତ୍ରା କାର୍ଯ୍ୟକ୍ରମ ହେବା ସହ ରାଜ୍ୟର ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ଗାନ୍ଧୀ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଛି ।

ସୁନ୍ଦରଗଡ ଜିଲ୍ଲା ଗାନ୍ଧୀମୂର୍ତୀ ପାରିଜାତ ପାର୍କରେ ସାଂସଦ ଜୁଏଲ ଓରାମ, ବାଲେଶ୍ୱର ଜିଲ୍ଲା ସିନେମା ଛକ ଶହିଦ ପାର୍କରେ  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବରଗଡ ଜିଲ୍ଲା ଘେସ ପାଇଁମରାଠାରେ ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ହଳଦିଆ କୁଆପୁଟଠାରେ ସାଂସଦ  ଅପରାଜିତା ଷଡଙ୍ଗୀ, ବ୍ରହ୍ମପୁର ଜିଲ୍ଲା ପାରଳାଖେମୁଣ୍ଡିଠାରେ ଭୃଗୁ ବକ୍ସିପାତ୍ର, ଢେଙ୍କାନାଳ ଜିଲ୍ଲା ଗାନ୍ଧୀ ଛକଠାରେ ରୁଦ୍ରନାରାୟଣ ପାଣି, ତାଳଚେର ପ୍ରଥମ ଗେଟଠାରେ କାଳନ୍ଦୀ ସାମଲ, ସମ୍ବଲପୁର ଜିଲ୍ଲା ଭାତ୍ରା ଗାନ୍ଧୀମନ୍ଦିରଠାରେ ସାଂସଦ ନିତିଶ ଗଙ୍ଗଦେବ, ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାୟକ, ମୟୁରଭଂଜ ଜିଲ୍ଲା ବାରିପଦା ଗାନ୍ଧୀ ପାର୍କଠାରେ ସାଂସଦ ବିଶେଶ୍ୱର ଟୁଡୁ, କଳାହାଣ୍ଡି ଜିଲ୍ଲା ନୂଆପଡା ଗାନ୍ଧୀ ଉଦ୍ୟାନଠାରେ ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ଗାନ୍ଧୀ ଛକଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ଛକଠାରେ ବିଭୁ ପ୍ରସାଦ ତରାଇ, ଭଦ୍ରକ ଜିଲ୍ଲା ମହତାବ କୋଠି ଥାନା ଛକଠାରେ ଅଭିମନ୍ୟୁ ସେଠୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବଲାଙ୍ଗୀର ଜିଲ୍ଲା କଂଟାବାଜି ହେମଳ ସଙ୍ଗ ଭବନଠାରେ ସାଂସଦ  ସଙ୍ଗିତା ସିଂହଦେଓ, କେନ୍ଦ୍ରାପଡା ଜିଲ୍ଲା ପୂରୁଣା ବସଷ୍ଟାଣ୍ଡଠାରେ ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, କନ୍ଧମାଳ ଜିଲ୍ଲା ଫୁଳବାଣୀ ଗାନ୍ଧୀମୂର୍ତୀ ଛକଠାରେ ଖାରବେଳ ସ୍ୱାଇଁ, ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ପଶର୍୍ୁରାମ ମାଝୀ, କୋରାପୁଟ ଜିଲ୍ଲା ପଟାଙ୍ଗୀଠାରେ ଜୟରାମ ପାଙ୍ଗୀ, ପୁରୀ ଜିଲ୍ଲା ପିପିଲି ବେରାବୋଇ ଗାନ୍ଧୀସ୍ମୃତି ପୀଠଠାରେ ଆଶ୍ରିତ ପଟ୍ଟନାୟକ, ଯାଜପୁର ଜିଲ୍ଲା ଦଶରଥପୁରଠାରେ ଅମୀୟ ମଲ୍ଲିକ, କେଉଁଝର ଜିଲ୍ଲା ସଦର ଖଜୁରୀପାଣିଠାରେ ଅନନ୍ତ ନାୟକ ଏବଂ ବିଧାୟକ ମୋହନ ମାଝୀ ପ୍ରମୁଖ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ।

Spread the love