ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ପରାମର୍ଶ ଦାତା କମିଟିର ବୈଠକ ଅନୁଷ୍ଠିତ; ଯୋଗ ଦେଲେ ରାଜ୍ୟର ୬ ଜଣ ସାଂସଦ

ପୁରୀ ୨୪/୦୯: ଦେଶର ଯୁବକମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ସ୍ତରରେ କରାଯାଉଥିବା ଉଦ୍ୟମକୁ ଅଧିକ କ୍ରିୟାଶୀଳ କରାଯିବ। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଯୁବକମାନଙ୍କର ଦକ୍ଷତା ବିକାଶ ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ପୁରୀରେ ଅନୁଷ୍ଠିତ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିରେ ନିଷ୍ପତ୍ତି ନିଆଯାଇଛି। ପୁରୀରେ ଅନୁଷ୍ଠିତ ଏହି ଦଶମ ପରାମର୍ଶଦାତା କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ୧୨ ଜଣିଆ ସାଂସଦ ପ୍ରତିନିଧି ମଧ୍ୟରୁ ୬ଜଣ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ସାଂସଦ ନରେଶ ବଂଶଲ, ଡଃ ଭି.ଶିଭାଦଶନ, କେ.ପ୍ରଭାକର ରେଡ୍ଡି, ଚନ୍ଦ୍ରାଣୀ ମୁର୍ମୁ, ଦେବେନ୍ଦ୍ର ପାୱାଇ ଓ ଦିଲ୍ଲିପ ଘୋଷ ଯୋଗ ଦେଇଥିଲେ। ଏହାଛଡା ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀ ମାନେ ଏହି ପରାମର୍ଶଦାତା କମିଟି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାର ବର୍ତ୍ତମାନ ଦକ୍ଷତା ବିକାଶ ସହାୟତାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ତାହାକୁ ସମସ୍ତ ରାଜ୍ୟରେ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି।

Spread the love