୨ରେ ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର ୨୫।୦୯: ଏବେ କାଁ ଭାଁ ବର୍ଷା ହେବ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିନ୍ତୁ ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ତା’ ପ୍ରଭାବରେ ଦିନେ ଦୁଇଦିନ ବର୍ଷା ହେବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଚିନ୍ତାର ବିଷୟ ହେଲା, ଦୁର୍ଗାପୂଜା ବେଳକୁ ବଡ଼ ବର୍ଷା ହୋଇପାରେ । ଏମିତି ଆକଳନ ଦେଖାଉଛି ପାଣିପାଗ ମଡେଲ। ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିଯାଇପାରେ ଦଶହରା ।

ଦୁଇ ବର୍ଷର କରୋନା ମହାମାରୀ କଟକଣା ପାଇଁ ନିରାଡ଼ମ୍ବର ଥିଲା ଦୁର୍ଗାପୂଜା । ନା ସାଜସଜ୍ଜା ନା ଥିଲା ଗହଳି । ଏ ବର୍ଷ ସବୁଠି ପାର୍ବଣ ପାଇଁ ମହାଆୟୋଜନ । ଏବେଠାରୁ ପାର୍ବଣର ବାସ୍ନା ବାରି ହେଲାଣି । ଲୋକେ ବି ଆଶା ବାନ୍ଧିଛନ୍ତି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଶେଷଜ୍ଞ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଏବେ ଏମିତି ବର୍ଷା ହେବ । ସ୍ଥାନେ ସ୍ଥାନେ ମଝିରେ ମଝିରେ ଅସରାଏ ବର୍ଷା ହେବ । ଅକ୍ଟୋବର ୨ରୁ ବର୍ଷା ବଢ଼ିବ । ଦକ୍ଷିଣ ଚାଇନା ସାଗରରୁ ଏକ ସିଷ୍ଟମ ଆସି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ୩୦ରେ ପହଞ୍ଚିବ । ଏହା ଘୂର୍ଣ୍ଣିବଳୟ ଅବସ୍ଥାରେ ଥିବ, ପରେ ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ୨ ତାରିଖବେଳକୁ ଲଘୁଚାପ ରୂପ ନେବ । ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ସମ୍ଭାବନା ଅଛି । ଏହା ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨ରେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା କରାଇବ । ୩ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହା ପ୍ରାକ୍‌ ଆକଳନ ।

ଆଗକୁ ସ୍ଥିତି ଅଧିକ ସ୍ପଷ୍ଟ ହେଲେ, ନିର୍ଦ୍ଦିଷ୍ଟ ଭାବେ କହିହେବ । ପାଣିପାଗ ବିଭାଗ ମଧ୍ୟ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ନେଇ ପ୍ରାକ ଆକଳନ କରିଛି । ବର୍ତ୍ତମାନ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ୨୭ରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେବା ସମ୍ଭାବନା ନାହିଁ । ତଥାପି କିଛି ବର୍ଷା କରାଇବ ।

Spread the love