‘ମନକି ବାତ’ ରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଭଗତସିଂହଙ୍କ ନାମରେ ହେବ ଚଣ୍ଡିଗଡ଼ ବିମାନବନ୍ଦର, ଜାଣନ୍ତୁ ଆଉ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୨୫।୯: ରବିବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନକି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମର ଏହା ୯୩ତମ ଅଧ୍ୟାୟ ଥିଲା। ଏହି କାର୍ଯ୍ୟକ୍ରମର ପ୍ରସାରଣ ଅଲ ଇଣ୍ଡିଆ ରେଡିଓ ସମେତ ଦୂରଦର୍ଶନ, ୟୁ ଟ୍ୟୁବ ଓ ଅନ୍ୟ ସୋସିଆଲ ମିଡିଆରେ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାମିବ୍ୟାରୁ ଅଣା ଯାଇଥିବା ଚିତାଙ୍କ ସୁରକ୍ଷା ଦାୟିତ୍ୱ ଲୋକଙ୍କ ଉପରେ ସମର୍ପିଛନ୍ତି।

ଏଥିପାଇଁ ଦେଶରେ ଏକ ଅଭିଯାନ ଚଳାଯିବ ବୋଲି କହିଛନ୍ତି, ଯାହାର ନାମକରଣ ଲୋକମାନେ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଆମର ମୌଳିକ କର୍ତ୍ତବ୍ୟରେ ପଶୁଙ୍କ ସୁରକ୍ଷା ମଧ୍ୟ ସାମିଲ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ସହିଦ ଭଗତ ସିଂହଙ୍କ ନାମରେ ରଖାଯିବ ବୋଲି ଘୋଷଣା କରିଛନ୍ତି। ରେଡିଓରେ ମନକି ବାତ ସମ୍ବୋଧନ ପ୍ରାରମ୍ଭରେ ମୋଦି ଚିତାଙ୍କ ଉପରେ ଆଲୋଚନା ଲାଗି ଅନେକ ମ୍ୟାସେଜ ଆସିଥିବାର କହିଥିଲେ।

ଏଥିରେ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଚିତାଙ୍କୁ ଦେଖିବାର ସୁଯୋଗ କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଚିତାଙ୍କ ମନିଟରିଂ କରିବେ ଓ ଦେଖିବେ ଏଠାକାର ପରିବେଶରେ ସେମାନେ କେତେ ମିଳିମିଶି ଗଲେଣି। ଏହି ଆଧାରରେ କିଛି ମାସ ପରେ ନିଷ୍ପତ୍ତି ନିଆଯିବ। ସେତେବେଳେ ଆପଣ ଚିତାଙ୍କୁ ଦେଖିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦେଶବାଶୀଙ୍କୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପ୍ରେରିତ ହେବାକୁ କହିଛନ୍ତି। ସେମାନଙ୍କ ଆଦର୍ଶରେ ଚାଲି ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି, ସେମାନଙ୍କ ପ୍ରତି ଏହାହିଁ ଆମମାନଙ୍କ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶହିଦଙ୍କ ସ୍ମାରକ, ସେମାନଙ୍କ ନାମରେ ସ୍ଥାନ, ସଂସ୍ଥାନ ଆମକୁ କର୍ତ୍ତବ୍ୟଲାଗି ପ୍ରେରଣା ଦେଇଥାଏ। ଖାସ ଏଥିପାଇଁ ଚଣ୍ଡିଗଡ଼ ବିମାନ ବନ୍ଦରକୁ ଶହିଦ ଭଗତ ସିଂହ ନାମରେ ରଖିବାକୁ ଯାଉଛୁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love