ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର ୩୦/୦୯: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷାଙ୍କୁ ବଳାତ୍କାର କରିବା ସହ ଧମକଚମକ ଦେବା ଅଭିଯୋଗରେ ଭରତପୁର ଥାନା ପୋଲିସ ୨୧ ବର୍ଷୀୟ ଟୁଙ୍ଗୁରୁ ଓରଫ ଆଲୋକ ଭୋଳକୁ ଗିରଫ କରିଛି । ଟୁଙ୍ଗୁରୁ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ । ସେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଟୁଙ୍ଗୁରୁ ଜଣେ ଅଟୋ ଚାଳକ । ତାଙ୍କ ଅଟୋରେ ଭରତପୁର ଥାନା ଅନ୍ତର୍ଗତ ଶରଧାପଲ୍ଲୀ ବସ୍ତିରେ ରହୁଥିବା ସୁଜୟନ୍ତୀ ଦଳେଇ ଓରଫ ବର୍ଷା ଭୋଳ ଯିବା ଆସିବା କରନ୍ତି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠେ ପ୍ରେମ ସଂପର୍କ । ଫୋନ୍‌ରେ ଦିନରାତି ଗପସପ ସାଙ୍ଗକୁ ଭେଟାଭେଟି ହୋଇ ପ୍ରେମ ଦିଆନିଆ ହେଉଥିଲେ । ଫିଲ୍ମ ଦେଖିବା ଓ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଗୋଟିଏ ସନ୍ତାନର ଜନନୀ ବର୍ଷା ଶେଷରେ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ । ଟୁଙ୍ଗୁରୁ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିଲେ । ଏହାଭିତରେ ଟୁଙ୍ଗୁରୁଙ୍କ ପରିବାର ଲୋକେ ଅନ୍ୟଜଣେ ଯୁବତୀଙ୍କ ସହ ଟୁଙ୍ଗୁରୁଙ୍କୁ କୋଳଥିଆ ଜଗନ୍ନାଥ ମନ୍ଦିରରେ ବିବାହ କରିବାକୁ ବସିଥିଲେ । ଏହି ଖବର ବର୍ଷାଙ୍କ କାନରେ ପଡ଼ିଥିଲା । ବର୍ଷା କୋଳଥିଆ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଟୁଙ୍ଗୁରୁଙ୍କ ବାହାଘର ଭାଙ୍ଗି ଦେଇଥିଲେ । ଫୁଲମାଳ, ସିନ୍ଦୂର ଧରି ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ । ଥାନା ଆଗରେ ଧାରଣାରେ ବସିଥିଲେ । ପୁଲିସ ଟୁଙ୍ଗୁରୁଙ୍କୁ ଥାନାକୁ ଡ଼କାଇଥିଲା । ଉଭୟେ ବିବାହ କରିବେ ବୋଲି କହିବା ପରେ ପୁଲିସ ଟୁଙ୍ଗୁରୁଙ୍କୁ ସିଆରପିସି ଧାରା ୪୧ରେ ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା ।

ଏହି ଚର୍ଚ୍ଚିତ ପ୍ରେମ କାହାଣୀକୁ ନେଇ ରାଜଧାନୀ ସମେତ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସଙ୍ଗୀତ ନିର୍ଦ୍ଦେଶକମାନେ ବିଭିନ୍ନ ମ୍ୟୁଜିକ ଭିଡ଼ିଓ ଓ ଗୀତ ପ୍ରସ୍ତୁତ କରିଥିଲେ । ଉଭୟ ପ୍ରେମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ । ଶେଷରେ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ଧରାଛୁଆଁ ଦେଇ ନଥିଲେ । ଗତମାସ ୩ ତାରିଖରେ ବର୍ଷା ଫୁଲେଶ୍ୱରୀ ବସ୍ତିକୁ ଏକ ପ୍ଲଟ୍‌ କିଣିବାକୁ ଯାଇଥିବା ବେଳେ ଟୁଙ୍ଗୁରୁ ଅନ୍ୟଜଣେ ମହିଳାଙ୍କ ସହ ଏକ ରୁମ୍‌ରେ ମଦ୍ୟ ପିଉଥିଲେ । ବର୍ଷାଙ୍କୁ ଦେଖି ସେ ଗାଳିଗୁଲଜ କରିଥିଲେ । ଗତମାସ ୧୦ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଜଣେ ମହିଳାଙ୍କୁ ନେଇ ବର୍ଷାଙ୍କୁ ତାଙ୍କ ଘରୁ ଡ଼ାକିଥିଲେ । ତାଙ୍କୁ ଫୁଲେଶ୍ୱରୀ ବସ୍ତିକୁ ନେଇ ବଳାତ୍କାର କରିଥିଲେ । ତେଣୁ ବର୍ଷା ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଟୁଙ୍ଗୁରୁଙ୍କୁ ଖୋଜିଥିଲା । ହେଲେ ଟୁଙ୍ଗୁରୁ ଫେରାର୍‌ ହୋଇ ଯାଇଥିଲେ । ଗତକାଲି ରାତିରେ ଟୁଙ୍ଗୁରୁ ଫୁଲେଶ୍ୱରୀ ବସ୍ତିକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଆଜି ଅପରାହ୍ଣରେ ଟୁଙ୍ଗୁରୁଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆ ଯାଇଛି । ଟୁଙ୍ଗୁରୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହେବା ଘଟଣାକୁ ନେଇ ଲୋକେ ଉଭୟଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି ଲୋକେ କହୁଛନ୍ତି ।

Spread the love