ଷୋଡ଼ଶ ବିଧାନସଭା ହରାଇଲାଣି ୬ ବିଧାୟକ !

ଷୋଡ଼ଶ ବିଧାନସଭା ୬ ବିଧାୟକଙ୍କୁ ହରାଇଛି । ବିଜେଡିରୁ ୪ ଓ ବିଜେପିରୁ ୨ ବିଧାୟକ ଆଖି ବୁଜିଛନ୍ତି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ସୃଷ୍ଟି ହୋଇଛି ଶୂନ୍ୟତା ।

୧୭-୦୬-୨୦୨୦: ବାଲେଶ୍ୱର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କର ଭୁବନେଶ୍ୱର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ହୃଦଘାତରେ ଆଖିବୁଜିଥିଲେ ମଦନମୋହନ ଦତ୍ତ । ବାଲେଶ୍ୱର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡିର ସ୍ୱରୂପ ରଂଜନ ଦାସ ବିଜୟୀ ହୋଇଥିଲେ ।

୦୬-୦୭-୨୦୨୦: ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ । ସେ ଜନତାଦଳରୁ ଦୁଇ ଥର ଓ ବିଜେଡିରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ଭାବେ ମଧ୍ୟ ତୁଲାଇଥିଲେ ଦାୟିତ୍ୱ । ବ୍ରେନ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତିର୍ତ୍ତୋଲ ଆସନ ଉପନିର୍ବାଚନରେ ବିଷ୍ଣୁଙ୍କ ପୁଅ ବିଜୟଶଙ୍କର ଦାସ ବିଜେଡି ଟିକେଟରେ ଜିତିଥିଲେ ।

୪-୧୦-୨୦୨୦: ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଘଟିଥିଲା । ପିପିଲି ଆସନରୁ ୭ଥର ପ୍ରତିନିଧିତ୍ୱ କରିଥିଲେ ପ୍ରଦୀପ। ଜନତା ଦଳ ଟିକେଟରେ ଦୁଇଥର ଓ ୫ ଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ । କୋଭିଡ ପରବର୍ତ୍ତୀ ଜଟିଳତାରେ ସେ ଆଖି ବୁଜିଥିଲେ । ପିପିଲି ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ।

୩୦-୧୨-୨୦୨୧:  ଆଉ ଜଣେ ବରିଷ୍ଠ ବିଧାୟକଙ୍କୁ ହରାଇଥିଲା ଓଡ଼ିଶା । ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଘଟିଥିଲା । ସେ ହୃଦଘାତର ଶୀକାର ହୋଇଥିଲେ । ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବାଚସ୍ପତି ଓ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ତୁଲାଇଥିଲେ ଦାୟିତ୍ୱ । ତାଙ୍କ ବିୟୋଗ ପରେ ବ୍ରଜରାଜନଗର ଆସନ ଉପନିର୍ବାଚନରେ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

୧୯-୦୯-୨୦୨୨: ଧାମନଗର ବିଧାୟକ ବିଷ୍ଣୁ ସେଠୀ ସବୁଦିନ ପାଇଁ ଆଖି ବୁଜିଥିଲେ । ଦୁଇ ଦୁଇ ଥର ବିଧାୟକ ହୋଇଥିବା ବିଷ୍ଣୁ ସେଠୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । ଏହାସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା । ଏବେ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Spread the love