ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ମେମୁ ଟ୍ରେନ

ଭୁବନେଶ୍ୱର : ୨୦୨୦ ଜୁଲାଇରୁ ରେଳ ବିହୀନ ଜିଲ୍ଲାରୁ କେନ୍ଦ୍ରାପଡ଼ା ବାଦ ପଡିଛି। ସେହିବର୍ଷ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ ପାଖାପାଖି ମାଲବାହୀ ଟ୍ରେନ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ କରିପାରିନାହିଁ। ଏହାକୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ଗାଁର ଗୌତମ ବେହେରା ସେପ୍ଟେମ୍ବର ୨୪ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି କରି ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଚିଠି ଲେଖିଥିଲେ। ଏ ସମ୍ପର୍କରେ ଗତ ୩ ତାରିଖରେ ଡେପୁଟି ଚିଫ ଅପରେଶନ୍ସ ମ୍ୟାନେଜର ଡି. ଆର. ପାଉଲଙ୍କଠାରୁ ମିଳିଥିବା ଚିଠି (୯୫/ ୨୨) ସ୍ଥାନୀୟ ଅଞ୍ଚଳରେ ଆଶାର କିରଣ ସଞ୍ଚାର କରିଛି। ପାରାଦୀପଠାରୁ ଭାୟ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ ଚଳାଚଳ ପାଇଁ ପ୍ରକ୍ରିୟା ଜାରି ରହିଥିବା ଏଥିରେ ଦର୍ଶାଯାଇଛି।ତେବେ ଏଥିପାଇଁ ଭିତ୍ତିଭୂମିର ଅଭାବ ଓ ନିରାପତ୍ତା ଆୟୁକ୍ତଙ୍କ ତଦାରଖ ଆବଶ୍ୟକ ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ଗୌତମ କହିଛନ୍ତି, ହରିଦାସପୁର ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରପଡ଼ା ଜିଲ୍ଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡିଥିଲା। ଏହାକୁ ଇତିମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ହୋଇଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡିନାହିଁ। ୧୯୯୬- ୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପଡିରହିବା ପରେ ରେଳପଥ ସମ୍ପୂର୍ଣ୍ଣ ନିର୍ମାଣ ହୋଇଛି। ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଯୁବକ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ଖୁବ୍‌ଶୀଘ୍ର ଭିତ୍ତିଭୂମି ତଦାରଖ ପରେ ମେମୁ ଟ୍ରେନ ଚଳାଚଳ କରିବ ନେଇ ଜିଲ୍ଲାବାସୀ  ଆଶାବାଦୀ ଅଛନ୍ତି। ଏ ନେଇ କଂଗ୍ରେସ ନେତା ସୌମେନ୍ଦ୍ର ପୃଷ୍ଟି କହିଛନ୍ତି, ୨୦୨୧ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ, ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ଏଥିସହ ନଭେମ୍ବର ୯ରେ ରେଳରୋକୋ ହୋଇଥିଲା। ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ କେନ୍ଦ୍ରାପଡ଼ା  ଜିଲ୍ଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରା ପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି। ଜିଲ୍ଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ଜିଲ୍ଲାରୁ ଯାତ୍ରାବାହୀ ରେଳ ଚଢ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ।  ଜିଲ୍ଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଅଥବା ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲାରେ ରେଳ ଚଳାଚଳ ପାଇଁ ଦାବି କରାଯାଉଥିବା ମତ ଦେଇଛନ୍ତି। ସାମାଜିକ କର୍ମୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ରାପଡ଼ାବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶାରୁ ଏମ୍‌ପି ହୋଇ ଯାଇଥିବା ଅଶ୍ୱନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ପଦବୀ ମିଳିବା ପରେ ଏହି ଦାବିକୁ ତୀବ୍ର କରାଯାଇଛି। ଯାତ୍ରୀବାହୀ ରେଳ ଚଳାଚଳ ଫଳରେ କେନ୍ଦ୍ରାପଡ଼ାବାସୀ ଯାତାୟତ ସମସ୍ୟାର ସମାଧାନ ହେବା ସହ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସୁଯୋଗ ମିଳିପାରିବ। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେସନ ଓ ସିଗନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ପିଆରଓ ଦାସ ମତ ଦେଇଛନ୍ତି।

Spread the love