ଦୀପାବଳିରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ ସୂତକ କାଳର ସମୟ
ନୂଆଦିଲ୍ଲୀ ୮।୧୦: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ସଂଘଟିତ ହେବ। ଦୀପାବଳି କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୋଇଥାଏ। ଚଳିତବର୍ଷ ଅମାବାସ୍ୟା ୨୪ ଓ ୨୫ ଅକ୍ଟୋବର ଦୁଇ ଦିନ ରହିବ। ଅମାବାସ୍ୟା ତିଥି ୨୪ ଅକ୍ଟୋବର ସଂଧ୍ୟା ୦୫.୨୭ ମିନିଟରେ ଆରମ୍ଭ ହେବ ଯାହା ୨୫ ଅକ୍ଟୋବର ଅପରାହ୍ନ ୪ଟା ୧୮ମିନିଟ୍ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ହେବ। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ଯାହା ୨୦୨୨ ମସିହାର ଦ୍ୱିତୀୟ ପରାଗ ହେବ। ପରାଗ ମୁଖ୍ୟ ରୂପେ ୟୁରୋପ, ଉତ୍ତର-ପୂର୍ବ ଆଫ୍ରିକା ଓ ପଶ୍ଚିମ ଏସିଆ କିଛି ଭାଗରେ ଦେଖାଯିବ। ଭାରତରେ ଏହି ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ଜୈନ, ବାରଣାସୀ ଓ ମଥୁରାରେ ଦେଖାଯିବ। ଏହା ମଧ୍ୟ କୁହାଯାଉଛି ଯେ ପୂର୍ବ ଭାରତକୁ ଛାଡି ସମ୍ପୂର୍ଣ୍ଣ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ। ତେବେ ପରାଗର ସମୟ, ସୂତକ କାଳ ସମ୍ପର୍କରେ ଆସନ୍ତୁ ଜାଣିବା। ସୂର୍ଯ୍ୟ ପରାଗ ଏକ ମହାଜାଗତିକ ଘଟଣା। ଯାହା ଅନେକ ବାର ଆଖିକୁ ଦେଖାଯାଇ ନଥାଏ। ସୂର୍ଯ୍ୟଙ୍କୁ ପୃଥିବୀ ସମେତ ସୌର ପରିବାରରସବୁ ଗ୍ରହ ପରିକ୍ରମଣ କରିଥାନ୍ତି। ହେଲେ କେବେକେବେ ସୂର୍ଯ୍ୟଙ୍କ ଆଲୋକ ସିଧା ପୃଥିବୀକୁ ପଡିନଥାଏ, ମଝିରେ ପୃଥିବୀର ଉପଗ୍ରହ ଚନ୍ଦ୍ର ଆସି ଯାଆନ୍ତି। ଏହି ପ୍ରକାର ଖଗୋଳିୟ ପରିସ୍ଥିତିକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ। ଏଥର ମହାକାଶରେ ଆଂଶିକ ସୂର୍ଯ୍ୟପରାଗ ହେବ।
ଆଂଶିକ ସୂର୍ଯ୍ୟ ପରାଗକୁ ବଳୟାକାର ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଏ। କୁହାଯାଉଛି ଏହି ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ଯଥେଷ୍ଟ ବଢି ଯାଇଥାଏ। ଏଣୁ ସୂର୍ଯ୍ୟଙ୍କ ଆଲୋକ ପୃଥିବୀକୁ ପହଞ୍ଚିବା ପୂର୍ବରୁ ମଝିରେ ଚନ୍ଦ୍ର ଆସିଯାଆନ୍ତି। ଏଣୁ ସୂର୍ଯ୍ୟଙ୍କ କିଛି ଅଂଶ ହିଁ ଦେଖିବାକୁ ମିଳିଥାଏ। ଏଣୁ ଏହାକୁ ଆଂଶିକ ସୂର୍ଯ୍ୟ ପରାଗ କୁହାଯାଏ।
ସୂର୍ଯ୍ୟ ପରାଗ ସମୟ
ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଅପରାହ୍ନ ୪ଟା ୨୯ ମିନିଟରୁ ସଂଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ ୧ ଘଣ୍ଟା ୧୪ ମିନିଟ ପର୍ଯ୍ୟନ୍ତ ଲାଗିବ। କୁହାଯାଉଛି ଯେ ସୂର୍ଯ୍ୟାସ୍ତ ସହିତ ପରାଗ ୫ଟା ୪୩ ମିନିଟରେ ସମାପ୍ତ ହୋଇଯିବ।
ସୂତକ କାଳ
କୁହାଯାଏ ପରାଗ ଲାଗିବା ପୂର୍ବର ସମୟ ଅଶୁଭ ହୋଇଥାଏ। ଏହାକୁ ସୂତକ କାଳ ବୋଲି କୁହାଯାଏ। ସୂତକ କାଳରେ କୌଣସି ମାଙ୍ଗଳିକ କାମ ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗର ସୂତକ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଓ ପରାଗ ସମାପ୍ତ ହେବା ପରେ ହିଁ ସମାପ୍ତ ହୋଇଥାଏ। ତେବେ ଯେଉଁ ସବୁ ଅଞ୍ଚଳରେ ପରାଗ ଦେଖାଯାଏନି ସେଠାରେ ସୂତକ ପାଳନୀୟ ନୁହେଁ। ଏଥର ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଦେଖା ଯିବ। ଏଣୁ ଭାରତରେ ସୂତକ ମାନ୍ୟ। ଆଂଶିକ ସୂର୍ଯ୍ୟ ପରାଗର ସୂତକ ଭାରତରେ ଭୋର ୩ଟା ୧୭ ମିନିଟରୁ ଆରମ୍ଭ ହୋଇ ୫ଟା ୪୩ ମିନିଟ୍ ପର୍ଯ୍ୟନ୍ତ ରହିବ।