ଦବଙ୍ଗ୍ ଫାର୍ମାସିଷ୍ଟ୍ଙ୍କୁ ବଦଳି ଦାବିରେ ଡାକ୍ତରଖାନା ଘେରାଉ କଲେ ବିଜେଡିକର୍ମୀ
ମାଲକାନଗିରି, ୦୮/୧୦: ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଦବଙ୍ଗ୍ ଫାର୍ମାସିଷ୍ଟ ପ୍ରାଚି ପ୍ରଭା ବେହେରାଙ୍କ ବଦଳି ଦାବିକରି ବିଜେଡିକର୍ମୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି । ଘଟଣାର ସମାଧାନ ପାଇଁ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପୁର୍ଣ୍ଣ ଚନ୍ଦ୍ର ବାକା ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିଛନ୍ତି । ସିଡିଏମଓ ଏବଂ ମେଡିକାଲ କର୍ମଚାରୀଙ୍କ ଉପସ୍ଥିତରେ ଲେଡି ଫାର୍ମାସିଷ୍ଟଙ୍କୁ ବିଧାୟକ ତାଗିଦ୍ କରିବା ସହ ତାଙ୍କର ବଦଳି କରିବା ଲାଗି ପରାମର୍ଶ ଦେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସିଡିଏମଓ ପ୍ରତିକ୍ରିୟା ରଖିଛନ୍ତି । ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ କହିଛନ୍ତି ।
ସୂଚନା ଥାଉକି ମାଲକାନଗିରି ପୌର ପରିଷଦର ପୂର୍ବତନ କାଉନସିଲର ବାଲା ରାଜୁ ଜଣେ ସଂପର୍କୀୟଙ୍କୁ ନେଇ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟ ପ୍ରାଚିପ୍ରଭା ବେହେରା ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଜଣେ ଡାକ୍ତରଙ୍କ ଉପସ୍ଥିତରେ ଦବଙ୍ଗ ଫାର୍ମାସିଷ୍ଟ ଜଣକ ରୋଗୀଙ୍କ ସଂପର୍କୀୟଙ୍କ ସହ ଏପରି ଦୁର୍ବ୍ୟବହାର କରୁଥିବା ଭିଡିଓ ଭାଇରାଲ ହେବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।