ଆର୍‌ଜେଡି ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଲାଲୁ ପ୍ରସାଦ ଯାଦବ

ପାଟନା: ପୁଣିଥରେ ଆର୍‌ଡେଜି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ ପ୍ରସାଦ ଯାଦବ। ଦଳୀୟ ନେତାମାନେ ରବିବାର ତାଙ୍କୁ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଏହାକୁ ମିଶାଇ ଲାଲୁ ୧୨ ଥର ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ପଦ ପାଇଁ କେବଳ ଲାଲୁ ପ୍ରସାଦ ଯାଦବ ହିଁ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟ କେହି ଦାବିଦାର ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନୂଆଦିଲ୍ଲୀରେ ଔପଚାରିକତା ଭାବେ ଆୟୋଜିତ ହୋଇଥିବା ଦୁଇଦିନି ସମ୍ମିଳନୀରେ ଲାଲୁଙ୍କୁ ଅଧ୍ୟକ୍ଷ ଘୋଷଣା କରାଯାଇଛି।

କିଡ୍‌ନୀ ଚିକିତ୍ସା ପାଇଁ ଲାଲୁ ଅକ୍ଟୋବର ୧୦ ତାରିଖରେ ସିଙ୍ଗାପୁର ଯିବାର କାର୍ଯ୍ୟକ୍ରମ ରହିଛି। ତା ପୂର୍ବରୁ ଏନେଇ ଏକ ବୈଠକ ହୋଇଥିଲା। ବୈଠକରେ ମଧ୍ୟ ଲାଲୁଙ୍କ ନାଁରେ ମୋହର ଲାଗିଥିଲା। ସୂଚନା ଥାଉକି ଲାଲୁ ପ୍ରସାଦ ଯାଦବ ଆର୍‌ଜେଡି ଅଧ୍ୟକ୍ଷ ହେବା ପାଇଁ ମାତ୍ର ଜଣେ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ। ସେପ୍ଟେମ୍ବର  ୨୮ ତାରିଖରେ ସେ ତାଙ୍କର ଆବେଦନ ପତ୍ର ଦାଖଲ କରିଥିଲେ।

ଲାଲୁଙ୍କ ବିରୋଧରେ ଦଳର ଅନ୍ୟ କୌଣସି ନେତା ଆବେଦନ କରିନଥିଲେ। ତେଣୁ ବିଜୟ ନିର୍ଦ୍ଧାରିତ ହୋଇସାରିଥିବା ବେଳେ ଆଜି ତାଙ୍କୁ ଔପଚାରିକା ଭାବେ ଆର୍‌ଜେଡି ଅଧ୍ୟକ୍ଷ ବୋଲି ଘୋଷଣା କରିଛି ଦଳ।

Spread the love