ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

ବାଲିପାଟଣା: ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ନରେନ୍ଦ୍ରନାଥ ନାୟକଙ୍କର ଅକାଳ ବିୟୋଗ ଘଟିଛି । କିଛି ଦିନ ହେବ ଶରୀର ଅସୁସ୍ଥ ହେବା ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ରବିବାର ରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି। ନରିଭାଇ ଭାବରେ ଅଞ୍ଚଳରେ ସେ ବେଶ ପରିଚିତ ଥିଲେ । ତାଙ୍କ ଘର ବାଲିପାଟଣା ବ୍ଳକ୍ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତ ମାଛପୁର ଗ୍ରାମରେ । ଦକ୍ଷ ସଂଗଠକ ଭାବରେ ସେ ଅଂଚଳରେ ପରିଚିତ ଥିଲେ । ତାଙ୍କ ମର ଶରୀରକୁ ଭୁବନେଶ୍ଵର ବିଜେପି କାର୍ଯ୍ୟଳୟରେ ଶ୍ରଦ୍ଧାଞ୍ଜଳୀ ପରେ ବାଳକାଟି ଏବଂ ପରେ ବାଲିପାଟଣାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ପରେ ତାଙ୍କ ନିଜ ଗ୍ରାମକୁ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇଛି । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ୨୦୧୯ ନିର୍ବାଚନରେ ସେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ରାଜ୍ୟର ବିଜେପି ଏସ୍. ସି. ମୋର୍ଚ୍ଚାର ଉପସଭାପତି ଭାବେ ମଧ୍ୟ ସେ ଦାୟିତ୍ଵ ତୁଲାଇଥିଲେ । ରାଜନେତା ସହ ସେ ଜଣେ ଆଇନଜୀବୀ ଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ନରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଦଳ ଏକ ଦକ୍ଷ ସଂଗଠକଙ୍କୁ ହରାଇଲା ବୋଲି ଧର୍ମେନ୍ଦ୍ର ତାଙ୍କ ଟୁଇଟର ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,  ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନମଣ୍ଡଳୀର ଆମ ଦଳର ବରିଷ୍ଠ ନେତା ତଥା ଏସସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ଉପସଭାପତି ନରେନ୍ଦ୍ର ନାଥ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ଅମାୟିକ, ପରୋପକାରୀ, ଲୋକପ୍ରିୟ ନେତା ଭାବରେ ସେ ସୁପରିଚିତ ଥିଲେ ।

ଆମ ଦଳର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବା ବିଶେଷ ଭାବରେ ଅନୁସୂଚିତ ଜାତିର ଲୋକମାନଙ୍କ ମଧ୍ୟରେ ବିଜେପିକୁ ଆସ୍ଥାଭାଜନ କରିବାରେ ସେ ଗୁରୁ ଦାୟିତ୍ୱକୁ ସୂଚାରୁରୂପେ ତୁଲାଇଥିଲେ। ତାଙ୍କ ବିୟୋଗରେ ଆମ ଦଳ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।

Spread the love