ସେସନ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ SC ଯିବ ହିନ୍ଦୁ ପକ୍ଷ, ଶିବଲିଙ୍ଗର କାର୍ବନ ଡେଟିଂ ଦାବି ଉଠାଇବ

ନୂଆଦିଲ୍ଲୀ: ବାରାଣସୀର ସେସନ କୋର୍ଟ ଜ୍ଞାନବ୍ୟାପୀ ମଜସିଦରୁ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ କରାଇବା ଦାବିରେ ଆଗତ ଆବେଦନକୁ ଖାରଜ କରିଛନ୍ତି। ଏବେ ହିନ୍ଦୁ ପକ୍ଷ ସେସନ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଯିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ହିନ୍ଦୁ ପକ୍ଷର ଓକିଲ ସୁଭାଷ ଚନ୍ଦନ ଚତୁର୍ବେଦୀ।

ଉଲ୍ଲେଖନୀୟ ବାରାଣସୀର ସେସନ କୋର୍ଟଙ୍କ ଆଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦର ସର୍ବେକ୍ଷଣ କରାଯାଇଥିଲା। ଏହି ସମୟରେ ଜ୍ଞାନବ୍ୟାପୀରେ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ ହିନ୍ଦୁ ପକ୍ଷ। ଅନ୍ୟପକ୍ଷେ ଶିବଲିଙ୍ଗଟି ଫଓ୍ଵାରା ବୋଲି କହିଥିଲେ ମୁସଲିମ ପକ୍ଷ। ଫଳରେ ଶିବଲିଙ୍ଗର କାର୍ବନ ଡେଟିଂ କରାଯାଉ ବୋଲି ଦାବି କରିଥିଲେ ହିନ୍ଦୁ ପକ୍ଷ। ହେଲେ ସେସନ କୋର୍ଟ ଶୁକ୍ରବାର ମାମଲାର ଶୁଣାଣି କରି ଆବେଦନ ଖାରଜ କରିଛନ୍ତି।

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ହିନ୍ଦୁ ପକ୍ଷଙ୍କ ଓକିଲ ନିତ୍ୟାନନ୍ଦ ରାୟ କହିଥିଲେ, ଯଦି ହିନ୍ଦୁ ପକ୍ଷ ଚାହିଁବ ତେବେ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯାଇ ପାରିବ। ନ୍ୟାୟାଳୟରେ ଏଥିପାଇଁ ବିକଳ୍ପ ଖୋଲା ରହିଛି। ବର୍ତ୍ତମାନ ଶିବଲିଙ୍ଗର ଆକୃତି ମିଳିଥିବା ସ୍ଥାନକୁ ସିଲ୍ କରାଯାଇଛି। ଏହାର କାର୍ବନ ଡେଟିଂ କରାଇବା ଦାବିକୁ ଅଗ୍ରାହ୍ୟ କରାଯାଇଥିଲେ ମଧ୍ୟ ଏହାର ଅସ୍ଥିତ୍ଵକୁ ଖାରଜ କରାଯାଇ ନାହିଁ।

କଣ କହିଛନ୍ତି ବାରାଣସୀ କୋର୍ଟ

ଅଦାଲତ କହିଛନ୍ତି, ଏମିତି ସ୍ଥିତିରେ ଯଦି କାର୍ବନ ଡେଟିଂ କରାଯାଏ ତେବେ କଥିତ ଶିବଲିଙ୍ଗର କ୍ଷତି ଘଟିପାରେ। ଆଉ ଏହା ସୁପ୍ରିମକୋର୍ଟଙ୍କ ମେ ୧୭ ଆଦେଶର ଖୋଲା ଉଲ୍ଲଂଘନ ହେବ। ସାଧାରଣ ଜନତାଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଲାଗିପାରେ। ତେଣୁ ଭାରତୀୟ ପ୍ରତ୍ନତତ୍ତ୍ଵକୁ କାର୍ବନ ଡେଟିଂ  ଲାଗି ନିର୍ଦ୍ଦେଶ ଦେବା ଉଚିତ୍ ହେବନି। ଏଥିପାଇଁ ଆବେଦନକୁ ଖାରଜ କରାଯାଉଛି।

Spread the love